କଦା ଋଷି କାଶ୍ୟପଙ୍କ ଦେଶ ଥିବା କାଶ୍ମୀରରେ କାଶ୍ମୀରପଣ୍ଡିତମାନେ ହଜାର ହଜାର ବର୍ଷ ଧରି ରହୁଥିଲେ। ଭାରତର ଏହି ଭୂସ୍ୱର୍ଗ କାଶ୍ମୀରରେ ନାରକୀୟ କାଣ୍ଡ ଘଟି ଅନେକ ହିନ୍ଦୁଙ୍କ ସାମୂହିକ ଚିତା ଜଳିଥିଲା।  ୯୦ ଦଶକ କାଶ୍ମୀରରେ ବର୍ବରତାର ଏକ ଅଧ୍ୟାୟ ଆଣିଥିଲା ଯାହା ଆଜି ପୂର୍ବରୁ  ଦେଖାଯାଇନଥିଲା କିମ୍ବା ଶୁଣାଯାଇନଥିଲା। ଅନେକ କାଶ୍ମୀରୀ ପଣ୍ଡିତମାନେ ନିହତ ହୋଇଥିଲେ, ଝିଅମାନଙ୍କୁ ବଳାତ୍କାର କରାଯାଇଥିଲା। ଅନେକ କାଶ୍ମୀରପଣ୍ଡିତମାନଙ୍କୁ ଘରୁ ବାହାରି ପଳାୟନ କରିବାକୁ ପଡିଲା। ତିନି ଦଶନ୍ଧି ପରେ ଏହି କ୍ରୁର ସତ୍ୟକୁ ସାମନାକୁ ଆଣିଛି ଚଳଚ୍ଚିତ୍ର "ଦି କାଶ୍ମୀର ଫାଇଲ୍ସ"। 

The Kashmir Files, Right to justice, Truth about Kashmir

ଜାମ୍ମୁ କାଶ୍ମୀରରେ ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ଦୁର୍ଦ୍ଦଶା ଉପରେ ଆଧାରିତ ଏକ ଚଳଚ୍ଚିତ୍ର "ଦି କାଶ୍ମୀର ଫାଇଲ୍ସ"। ମୁକ୍ତିଲାଭ ପରେ ଚଳଚ୍ଚିତ୍ର ପ୍ରତି ଲୋକଙ୍କର ଅଭୂତପୂର୍ବ ଭଲପାଇବା ମିଳିଛି। ଏହାର ଅଧିକାଂଶ ଶୋ ହାଉସଫୁଲ୍ ଚାଲିବା ସହ ଦିନକୁ ଦିନ ସ୍କ୍ରିନ୍ ସଂଖ୍ୟା ବୃଦ୍ଧି ପାଇଛି। ଅନେକ ରାଜ୍ୟ ଏହାକୁ ଟିକସମୁକ୍ତ କରିଥିବାବେଳେ ବିଭିନ୍ନ ସଙ୍ଗଠନ ତଥା କର୍ପୋରେଟ ଗୁଡ଼ିକ ତରଫରୁ ମଧ୍ଯ ଜନସାଧାରଣଙ୍କୁ ଏହି ଚଳଚ୍ଚିତ୍ର ଦେଖିବାକୁ ଦିଆଯାଉଛି। ତେବେ ପ୍ରତ୍ୟେକ ସଫଳତା ଯେପରି ଅନେକ ବିବାଦକୁ ନିଜ ଆଡ଼କୁ ଟାଣିଆଣେ ଠିକ୍ ସେପରି ଏହି ଚଳଚ୍ଚିତ୍ର ମଧ୍ଯ ବିବାଦଘେରକୁ ଚାଲିଆସିଛି। ବଲିଉଡ୍ ତଥା ହିନ୍ଦୀ ଚଳଚ୍ଚିତ୍ର ଜଗତର ଏକ ଗୋଷ୍ଠୀ ଏହାକୁ ବିରୋଧ କରୁଥିବାବେଳେ ତାଙ୍କ ସହ କିଛି ସଙ୍ଗଠନ ମଧ୍ଯ ଏହା ବିରୋଧରେ ଛିଡ଼ା ହୋଇଛନ୍ତି। ସେପରି ରାଜନୈତିକ ଦଳ ମଧ୍ଯ ଏହି ବିବାଦକୁ କେନ୍ଦ୍ରକରି ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ କେରଳ ୟୁନିଟ୍ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କ ମଧ୍ୟରେ ଏହାକୁ ନେଇ ଏକ ନୂତନ ବିବାଦ ସୃଷ୍ଟି ହୋଇଛି। 

ରବିବାର ଦିନ, ଭାରତୀୟ ଜାତୀୟ କଂଗ୍ରେସର କେରଳ ଟ୍ୱିଟର ହ୍ୟାଣ୍ଡେଲ "ଦି କାଶ୍ମୀର ଫାଇଲ୍ସ" ଚଳଚ୍ଚିତ୍ରକୁ ଭ୍ରମାତ୍ମକ ବୋଲି ଅଭିଯୋଗ କରି ବିବାଦ ସୃଷ୍ଟି କରିଥିଲା ଏବଂ ଘଟଣାର ରାଜନୀତିକରଣ କରି କହିଥିଲା ଯେ, "ପଣ୍ଡିତମାନେ ଆରଏସଏସର ବ୍ୟକ୍ତି ଥିବା ରାଜ୍ୟପାଳ ଜଗମୋହନଙ୍କ ନିର୍ଦ୍ଦେଶରେ ଉପତ୍ୟକା ଛାଡି ଥିଲେ। ବିଜେପି ସମର୍ଥିତ ଭିପି ସିଂ ସରକାରଙ୍କ ଅଧୀନରେ ଏହି ସ୍ଥାନାନ୍ତରଣ ଆରମ୍ଭ ହୋଇଥିଲା। " ଏହାର ପ୍ରତ୍ୟୁତ୍ତରରେ ପଣ୍ଡିତଙ୍କ ଅବସ୍ଥା ପାଇଁ କଂଗ୍ରେସକୁ ଦାୟୀ କରି ବିଜେପି ସାଂସଦ କେ ଜେ ଆଲଫନ୍ସ କହିଛନ୍ତି ଯେ କଂଗ୍ରେସ ଏବଂ ଏହାର ସହଯୋଗୀମାନେ ଏପରି ପରିସ୍ଥିତି ସୃଷ୍ଟି କରିଛନ୍ତି ଯେଉଁଥିରେ ପଣ୍ଡିତମାନେ ଆଉ କାଶ୍ମୀରରେ ରହିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନଙ୍କୁ ହତ୍ୟା କରାଯାଇଛି ଏବଂ ସେମାନଙ୍କ ଜୀବନ ପାଇଁ ପ୍ରକୃତ ଭୟ ରହିଥିଲା ଯାହାଫଳରେ କାଶ୍ମୀର ଉପତ୍ୟକାରୁ ପଳାୟନ କରିଥିଲେ ।

ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର 'ଦି କାଶ୍ମୀର ଫାଇଲ୍ସ'କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମଙ୍ଗଳବାର କହିଛନ୍ତି ଯେ ଏହିପରି ଅଧିକ ଚଳଚ୍ଚିତ୍ର ନିର୍ମାଣ କରାଯିବା ଆବଶ୍ୟକ ଯାହା ଦ୍ୱାରା ଲୋକମାନେ ସତ୍ୟ ଜାଣିପାରିବେ। ଦୀର୍ଘ ଦିନ ଧରି ଦେଶରୁ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରାଯାଇଛି ଏବଂ ଲୋକଙ୍କ ଆଗରେ ସତ୍ୟ ବାହାର କରିବା ପାଇଁ 'ଦି କାଶ୍ମୀର ଫାଇଲ୍ସ' ପରି ଚଳଚ୍ଚିତ୍ର ନିର୍ମାଣ କରାଯିବା ଆବଶ୍ୟକ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ଯ ସୋମବାର ଉପତ୍ୟକାରୁ କାଶ୍ମୀର ପଣ୍ଡିତଙ୍କ ପଳାୟନକୁ ଦର୍ଶାଉଥିବା ଚଳଚ୍ଚିତ୍ର 'ଦି କାଶ୍ମୀର ଫାଇଲ୍ସ' ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ବିରୋଧୀ ଦଳର ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ଦିଆଯାଇଥିବା ବିବୃତ୍ତି ସତ୍ୟକୁ ଅସ୍ୱୀକାର କରିବାର ଆଭିମୁଖ୍ୟକୁ ପ୍ରତିଫଳିତ କରେ। 

ତେବେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ କଶ୍ମୀର ଘଟଣାକୁ ନେଇ ବିଭିନ୍ନ ମହଲରେ ଉଠୁଥିବା ବିବାଦ ପୁଣି ତୀବ୍ରତର ହେବାସହ ବିଭିନ୍ନ ରାଜନୈତିକ ଦଳର ବିତର୍କକୁ ବୁଝିବାକୁ ହେଲେ ଇତିହାସ ବିଷୟରେ ସଂକ୍ଷେପରେ ବୁଝିବାକୁ ହେବ। 

୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ କାଶ୍ମୀରର ନେତା ଶେଖ ଅବଦୁଲ୍ଲା ଇନ୍ଦିରା-ଶେଖ ଚୁକ୍ତିନାମା କରିଥିଲେ ଯାହା ଦ୍ଵାରା ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ୨୨ ବର୍ଷ ପରେ କ୍ଷମତାକୁ ଫେରିବାକୁ ଅନୁମତି ଦିଆଯାଇଥିଲା।  ଏହି ଚୁକ୍ତିନାମାକୁ ବ୍ୟାପକ ସମାଲୋଚନା କରାଯାଇଥିଲା ଏବଂ ଭବିଷ୍ୟତରେ ବିଦ୍ରୋହର ମୂଳଦୁଆ ପକାଯାଇଥିଲା। ୮୦ ଦଶକର ଶେଷ ସୁଦ୍ଧା ପାକିସ୍ତାନରେ ଆତଙ୍କର ତାଲିମ ଆରମ୍ଭ ହୋଇସାରିଥିଲା । ସୟଦ ସଲାହୁଦ୍ଦିନ ଏବଂ ୟାସିନ ମଲିକ ଆତଙ୍କବାଦୀମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ପ୍ରଥମେ ଉପତ୍ୟକାରେ ବନ୍ଧୁକ ଉଠାଇଥିଲେ। ପ୍ରଥମ ଥର ପାଇଁ କାଶ୍ମୀରର ଲୋକମାନଙ୍କୁ ଧର୍ମ ନାମରେ ବିଭକ୍ତ କରାଯାଇଥିଲା । ୧୯୮୭ ବିଧାନସଭା ନିର୍ବାଚନରେ ରିଗିଂ ଅଭିଯୋଗ ହୋଇଥିଲା। ଯାହା ପରେ ବହୁ ସଂଖ୍ୟକ ଯୁବକ ଅସ୍ତ୍ରଶସ୍ତ୍ର ଗ୍ରହଣ କରିଥିଲେ ଏବଂ ନବେ ଦଶକର ରକ୍ତାକ୍ତ ଖେଳ କାଶ୍ମୀରରେ ଆରମ୍ଭ ହୋଇଥିଲା ଯାହା ଆଜି ପର୍ଯ୍ୟନ୍ତ ଉପତ୍ୟକାକୁ ଜାଳୁଛି । 

୧୯୮୦ ଦଶକରେ ଶେଖ ଅବଦୁଲ୍ଲା ସରକାର ଶତାଧିକ ସ୍ଥାନର ନାମକୁ ଇସଲାମିକ ନାମରେ ପରିବର୍ତ୍ତନ କରିଥିଲେ ଏବଂ ଶେଖ୍ ଅବଦୁଲ୍ଲା ମସଜିଦରେ ସାମ୍ପ୍ରଦାୟିକ ଭାଷଣ ଦେଇଥିଲେ ଏବଂ କାଶ୍ମୀରୀ ହିନ୍ଦୁମାନଙ୍କୁ ମୁଖବୀର (ଭାରତୀୟ ସେନାର ଗୁପ୍ତଚର) ବୋଲି କହିଥିଲେ। ଏହା ପର ବର୍ଷଗୁଡିକରେ କାଶ୍ମୀରରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି ପାଇଥିଲା। ୧୯୮୨ରେ ଶେଖ ଅବଦୁଲ୍ଲାଙ୍କର ଦେହାନ୍ତ ହୋଇଥିଲା ଏବଂ ଜାତୀୟ ସମ୍ମିଳନୀର ନେତୃତ୍ୱ ୧୯୮୩ ନିର୍ବାଚନରେ ଜିତିଥିବା ତାଙ୍କ ପୁଅ ଫାରୁକ୍ ଅବଦୁଲ୍ଲାଙ୍କୁ ଦିଆଯାଇଥିଲା।

୧୯୮୪ ମସିହାରେ ଜେ.କେ.ଏଲ୍.ଏଫ୍ ଆତଙ୍କବାଦୀ ମକବୁଲ ଭଟଙ୍କୁ ଫାଶୀ ଦିଆଯିବା ପରେ କାଶ୍ମୀରର ବିଛିନ୍ନତାବାଦୀମାନେ ଏହି ଅଞ୍ଚଳରେ ଭାରତ ବିରୋଧୀ ପ୍ରଦର୍ଶନ କରିଥିଲେ। ଏହି ପରିସ୍ଥିତି ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ଦାୟୀ କରାଯାଇଥିଲା ଏବଂ ଏହି କାରଣରୁ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା ଏବଂ ତାଙ୍କ ସ୍ଥାନରେ ଇନ୍ଦିରା ଗାନ୍ଧୀଙ୍କ ସମର୍ଥନରେ ଗୁଲାମ ମହମ୍ମଦ ଶାହାଙ୍କ ସରକାର ଗଠନ କରାଗଲା। ୧୯୮୬ ରେ ଗୁଲାମ ମହମ୍ମଦ ଶାହା ଜାମ୍ମୁରେ ଥିବା ଏକ ପ୍ରାଚୀନ ହିନ୍ଦୁ ମନ୍ଦିର ପରିସରରେ ଏକ ମସଜିଦ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାଦ୍ୱାରା ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ସେହିବର୍ଷ ଫେବୃଆରୀ ମାସରେ ସେ କାଶ୍ମୀର ମୁସଲମାନମାନଙ୍କୁ ଇସଲାମ ଖତରେ ମେଁ ହେ ! (ଇସଲାମ ବିପଦରେ ଅଛନ୍ତି) କହି ଉତ୍ତେଜନା ପ୍ରକାଶ କରିଥିଲେ ଯାହାଫଳରେ ୧୯୮୬ ମସିହାରେ କାଶ୍ମୀରୀ ଦଙ୍ଗା ହୋଇଥିଲା ଯେଉଁଠାରେ ମୁସଲମାନମାନେ ହିନ୍ଦୁମାନଙ୍କୁ ହତ୍ୟା କରିଥିଲେ, ସେମାନଙ୍କ ସମ୍ପତ୍ତି ଲୁଟ୍ କରିଥିଲେ ଏବଂ ମନ୍ଦିରଗୁଡ଼ିକ ନଷ୍ଟ କରିଦେଇଥିଲେ। ଶାହାଙ୍କ ନେତୃତ୍ୱରେ ତତ୍କାଳୀନ ସରକାର ହିଂସାକୁ ରୋକିବା ପାଇଁ ଭାରତୀୟ ସେନାକୁ ଆହ୍ୱାନ ଦେଇଥିଲେ, କିନ୍ତୁ ଏ ଦିଗରେ ସେନାର ଅଗ୍ରଗତିକୁ ଆଗକୁ ବଢ଼ିବାକୁ ଦେଇନଥିଲେ। ଦକ୍ଷିଣ କାଶ୍ମୀରରେ ସାମ୍ପ୍ରଦାୟିକ ଦଙ୍ଗା କାରଣରୁ ରାଜ୍ୟପାଳ ଜଗମୋହନ ମଲହୋତ୍ରା ଶାହାଙ୍କ ସରକାରକୁ ବରଖାସ୍ତ କରି ରାଜୀବ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଫାରୁକ୍ ଅବଦୁଲ୍ଲାଙ୍କୁ ପୁନରୁତ୍ଥାନ କରି ଶାସନ ଆରମ୍ଭ କରିଥିଲେ।

ବିଭିନ୍ନ ଇସଲାମବାଦୀମାନେ କେନ୍ଦ୍ରର ହସ୍ତକ୍ଷେପ ବିରୁଦ୍ଧରେ ଏବଂ ମୁସଲିମ୍ ୟୁନାଇଟେଡ୍ ଫ୍ରଣ୍ଟ ବ୍ୟାନରରେ ଇସଲାମିକ ଏକତାକୁ ସମର୍ଥନ କରି ନିଜକୁ ସଂଗଠିତ କଲେ। ଏହି ମିଳିତ ମଞ୍ଚ ୧୯୮୭ ରାଜ୍ୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲା ​​କିନ୍ତୁ ନିର୍ବାଚନରେ ହାରିବା ପରେ ପରବର୍ତ୍ତୀ ବର୍ଷଗୁଡିକରେ କାଶ୍ମୀରୀ ହିନ୍ଦୁମାନଙ୍କୁ ଏବଂ ଭାରତୀୟ ସରକାରଙ୍କ ନୀତିକୁ ସମର୍ଥନ କରୁଥିବା ଲୋକଙ୍କୁ କାଶ୍ମୀରୀ ଆତଙ୍କବାଦୀମାନେ ହତ୍ୟା କରିଥିଲେ।

ଜେ.କେ.ଏଲ୍.ଏଫ୍ କାଶ୍ମୀରକୁ ଭାରତରୁ ବିଚ୍ଛିନ୍ନ କରିବାକୁ ପ୍ରୋତ୍ସାହନ ଦେଉଥିବାରୁ କାଶ୍ମୀର ଉପତ୍ୟକାରେ ବିଦ୍ରୋହ ବୃଦ୍ଧି ପାଇଲା। ସେପ୍ଟେମ୍ବର ୧୯୮୯ରେ, ଏହି ଦଳ ଶ୍ରୀନଗରରେ ଥିବା ତାଙ୍କ ଘରେ ବିଜେପି ନେତା ତଥା ଓକିଲ ଟିକା ଲାଲ ଟାପ୍ଲୁଙ୍କୁ ହତ୍ୟା କରିଥିଲା। ଏହା ପରେ ଶ୍ରୀନଗର ହାଇକୋର୍ଟର ହିନ୍ଦୁ ଜଜ୍ ନୀଳକଣ୍ଠ ଗଞ୍ଜୁଙ୍କୁ ଶ୍ରୀନଗରରେ ଗୁଳିମାରି ହତ୍ୟା କରାଯାଇଥିଲା। ସେହି ସମୟର ଅଧିକାଂଶ ହିନ୍ଦୁ ନେତା ନିହତ ହୋଇଥିଲେ, ଆତଙ୍କବାଦୀମାନେ 300 ରୁ ଅଧିକ ହିନ୍ଦୁ ଙ୍କୁ ହତ୍ୟା କରିଥିଲେ। ୧୯୮୯ରେ ମୁଫତି ସୟିଦଙ୍କଙ୍କ ଝିଅର ଅପହରଣ ଆଳରେରେ ଜେ.କେ.ଏଲ୍.ଏଫ୍ ଆତଙ୍କବାଦୀମାନଙ୍କୁ ମୁକ୍ତ କରିବା ସହ ହିଂସାର ଯୋଜନା କରିଥିଲା। ଏହା କାଶ୍ମୀରୀ ହିନ୍ଦୁମାନଙ୍କ ମନରେ ଭୟ ସୃଷ୍ଟି କରିଥିଲା ​​କାରଣ ସେମାନେ ଅନୁଭବ କରିଥିଲେ ଯେ ସେମାନଙ୍କ ଉପରେ ଯେ କୌଣସି ସମୟରେ ମଧ୍ୟ ଆକ୍ରମଣ ହୋଇପାରେ। ଏହି ସବୁ ଘଟଣା ସମ୍ପର୍କରେ ରାଜ୍ୟପାଳ ଜଗମୋହନ ବାରମ୍ବାର ଚିଠି ଲେଖି ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରିଥିଲେ। 

୧୯୯୦ରେ ଶ୍ରୀନଗର ଭିତ୍ତିକ ଖବରକାଗଜ "ଆଫତାବ୍" ରେ ଆତଙ୍କବାଦୀ ସଂଗଠନ ସମସ୍ତ ହିନ୍ଦୁଙ୍କୁ ତୁରନ୍ତ କାଶ୍ମୀର ଛାଡି ଯିବା ପାଇଁ ଏକ ବାର୍ତ୍ତା ଜାରି କରିଥିଲା। କିଛି ମାସ ପରେ, ଶ୍ରୀନଗରର ଅନ୍ୟ ଏକ ଖବରକାଗଜ ଅଲ-ସଫା ମଧ୍ଯ ସମାନ ଚେତାବନୀମୂଳକ ବାର୍ତ୍ତା ପ୍ରକାଶ କଲା। ଏହା କାଶ୍ମୀରର କାନ୍ଥଗୁଡ଼ିକ ଉପରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିବା ସହ କାଶ୍ମୀରବାସୀଙ୍କୁ ଇସଲାମୀୟ ନିୟମ ମାନିବାକୁ ବାଧ୍ୟ କରାଯିବା ସହ ମହିଳାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ୧୯୮୯ ରେ ଇସଲାମିକ ପୋଷାକ ସଂହିତା କାର୍ଯ୍ୟକାରୀ କରିବା ଷଡଯନ୍ତ୍ରରେ ଜିହାଦୀ ସଂଗଠନ ଜମାତ-ଏ-ଇସଲାମି ମଧ୍ୟ ଜଡିତ ଥିଲା। ବିଲ୍ଡିଂ, ପ୍ରତିଷ୍ଠାନ ଏବଂ ଦୋକାନଗୁଡିକ ଇସଲାମୀୟ ନିୟମର ସଙ୍କେତ ଭାବରେ ସବୁଜ ରଙ୍ଗର କରାଗଲା ଏବଂ କାଶ୍ମୀରୀ ହିନ୍ଦୁମାନଙ୍କର ସମ୍ପତ୍ତି ପୋଡି ଦିଆଗଲା ଏବଂ ନଷ୍ଟ କରିଦିଆଗଲା।  

ଜାନୁଆରୀ ୧୯୯୦ରେ, ଶ୍ରୀନଗରରେ ଗାୱକଡାଲ ହତ୍ୟାକାଣ୍ଡ ଘଟିଥିଲା ​​ଯେଉଁଠାରେ ଭାରତୀୟ ସେନା ବିରୋଧକାରୀଙ୍କ ଉପରକୁ ଗୁଳି ଚଳାଇଥିଲା। ଫଳସ୍ୱରୂପ, ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ, ଯାହା ଫଳରେ ଏହି ଅଞ୍ଚଳରେ ଅଧିକ ବିଶୃଙ୍ଖଳା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହି ସମୟରେ କାଶ୍ମୀର ଉପତ୍ୟକାରୁ ୪.୫ ଲକ୍ଷରୁ ଉର୍ଦ୍ଧ୍ବ କାଶ୍ମୀରୀ ହିନ୍ଦୁଙ୍କୁ ରାତାରାତି ଘରୁ ପଳାୟନ କରିବାକୁ ପଡିଲା ଏବଂ ହଜାର ହଜାର ହିନ୍ଦୁଙ୍କୁ ଜୀବନ ତ୍ୟାଗ କରିବାକୁ ପଡ଼ିଲା। ଏକ ବିବାଦୀୟ ସ୍ଲୋଗାନ ମାଧ୍ଯମରେ କାଶ୍ମୀରୀ ହିନ୍ଦୁମାନଙ୍କୁ ଜିହାଦୀ ଆତଙ୍କବାଦୀମାନେ ତିନୋଟି ବିକଳ୍ପ ଦେଇଥିଲେ। କାଶ୍ମୀର ଉପତ୍ୟକାରେ ବିଭିନ୍ନ ମସଜିଦରୁ ମଧ୍ଯ ଲାଉଡ ସ୍ପିକର ଜରିଆରେ ଜୋର ଜୋରରେ ହିନ୍ଦୁମାନଙ୍କ ପାଇଁ ଏହି ସ୍ଲୋଗାନ ଘୋଷଣା କରା ଯାଉଥିଲା। 

"ରାଲିବ୍, ଚାଲିବ୍ ୟା ଗାଲିବ୍"

ପ୍ରଥମ ବିକଳ୍ପ ହେଉଛି ଚାଲିବ୍ ଅର୍ଥାତ୍ କାଶ୍ମୀରରୁ ପଳାୟନ କର।  ଦ୍ୱିତୀୟତଃ, ଗାଲିବ୍ ଅର୍ଥାତ୍ ଇସଲାମ ଧର୍ମ ଗ୍ରହଣ କରନ୍ତୁ । ଯେଉଁମାନେ ଦୁଇଟି ବିକଳ୍ପ ମଧ୍ୟରୁ କୌଣସିଟି ବାଛି ନାହାଁନ୍ତି ସେମାନଙ୍କୁ ରାଲିବ୍ ଅର୍ଥାତ୍ ମୃତ୍ୟୁ ବରଣ କର ବୋଲି ଧମକ ଦିଆଯାଇଥିଲା। ଯେଉଁମାନେ ଯିବାକୁ ନଥିଲେ, ଜିହାଦୀମାନେ ସେମାନଙ୍କୁ ଗୋଟିଏ ପରେ ଗୋଟିଏ ଗୁଳିରେ ଭଜା କରିବା ଆରମ୍ଭ କରିଥିଲେ । କାଶ୍ମୀରର ରାସ୍ତାରେ ପ୍ରତିଦିନ କାଶ୍ମୀର ପଣ୍ଡିତଙ୍କ ମୃତଦେହ ମିଳିଥିଲା। ତା'ପରେ ଦିନେ ସନ୍ଧ୍ୟାରେ କାଶ୍ମୀରପଣ୍ଡିତମାନେ ଉପତ୍ୟକା ଛାଡିବାକୁ କିମ୍ବା କାଶ୍ମୀରର ସମସ୍ତ ମସଜିଦରୁ ମରିବାକୁ ପ୍ରସ୍ତୁତ ହେବାକୁ ଧମକ ଦେଇଥିଲେ। ଏହି ଧମକକୁ ଭୟ କରୁଥିବା ଲକ୍ଷ ଲକ୍ଷ ହିନ୍ଦୁ ପରିବାର ସମସ୍ତ ସମ୍ଭାବ୍ୟ ଉପାୟରେ ରାତାରାତି କାଶ୍ମୀରରୁ ବାହାରକୁ ଆସିଥିଲେ ଏବଂ ନିଜ ଦେଶରେ ସବୁଦିନ ପାଇଁ ଶରଣାର୍ଥୀ ହୋଇ ରହିଗଲେ। 

ଏତେ ସବୁ ହେଲା ପରେ ମଧ୍ୟ ଅଗଷ୍ଟ ୧୪, ୧୯୯୩ ରେ ଡୋଡାରେ ଏକ ବସ୍ ଅଟକାଇ ୧୫ ଜଣ ହିନ୍ଦୁଙ୍କ ହତ୍ୟା, ମାର୍ଚ୍ଚ ୨୧, ୧୯୯୭ ରେ ଜାମ୍ମୁର ସଂଗ୍ରାମପୁରରେ ଥିବା ସାତ ଜଣ କାଶ୍ମୀର ପଣ୍ଡିତଙ୍କ ଘରେ ପଶି ହତ୍ୟା, ଜାନୁଆରୀ ୨୫, ୧୯୯୮ରେ ସଶସ୍ତ୍ର ଆତଙ୍କବାଦୀମାନଙ୍କ ଦ୍ଵାରା ଚାରି ଜଣ କାଶ୍ମୀର ପରିବାରର ୨୩ ଜଣ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏପ୍ରିଲ ୧୭, ୧୯୯୮ ରେ ଉଧମପୁରରେ ୧୧ ଜଣ ଶିଶୁଙ୍କ ସମେତ ୨୭ ଜଣ ହିନ୍ଦୁଙ୍କ ହତ୍ୟା କରାଯାଇଥିଲା । 

ଅଲ କାଶ୍ମୀର ପଣ୍ଡିତ କୋ ଅର୍ଡିନେସନ କମିଟି ଅନୁଯାୟୀ, କାଶ୍ମୀର ଉପତ୍ୟକା ବାହାରେ ୬୨,୦୦୦ ବିସ୍ଥାପିତ ପରିବାର ରହୁଛନ୍ତି। ଏଥିମଧ୍ୟରୁ ୪୦,୦୦୦ ପରିବାର ଜାମ୍ମୁରେ, ଦିଲ୍ଲୀରେ ୨୦,୦୦୦ ଥିବାବେଳେ ଅବଶିଷ୍ଟ ୨,୦୦୦ ପରିବାର ଦେଶର ଅନ୍ୟ ସହରରେ ରହିବାକୁ ବାଧ୍ୟ ହେଉଛନ୍ତି। ଆପଣ ହୁଏତ ଜନସଂଖ୍ୟା ବୃଦ୍ଧି ହାର ଶୁଣିଥିବେ, କିନ୍ତୁ ହତ୍ୟାକାଣ୍ଡ ପରେ କାଶ୍ମୀରପଣ୍ଡିତଙ୍କ ଜନସଂଖ୍ୟା ହ୍ରାସ ପାଇଲା । ଏକ ରିପୋର୍ଟ ଅନୁଯାୟୀ, ୧୯୯୦ ରୁ ୨୦୧୪ ମଧ୍ୟରେ କାଶ୍ମୀରରୁ ସ୍ଥାନାନ୍ତରିତ ହୋଇଥିବା ୬୨,୦୦୦ କାଶ୍ମୀରୀ ପରିବାର ମଧ୍ୟରୁ ମାତ୍ର ୧୦,୦୦୦ ଶିଶୁ ଜନ୍ମ ହୋଇଥିବାବେଳେ ସମାନ ସମୟ ମଧ୍ୟରେ ୨୩,୭୦୮ କାଶ୍ମୀରୀ ପଣ୍ଡିତଙ୍କ ମୃତ୍ୟୁ ହୋଇଥିଲା। ଉପତ୍ୟକାରେ କାଶ୍ମୀରପଣ୍ଡିତମାନେ ଭୋଗୁଥିବା ଯନ୍ତ୍ରଣା ହେତୁ ଏହି ମୃତ୍ୟୁ ଘଟିଥିଲା। 

ଏପ୍ରିଲ ୭, ୨୦୧୫ ରେ କେନ୍ଦ୍ର କାଶ୍ମୀର ପଣ୍ଡିତଙ୍କ ଟାଉନସିପ୍ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କଠାରୁ ଜମି ମାଗିଥିଲେ। ବିଚ୍ଛିନ୍ନତାବାଦୀମାନେ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦ ଜମି ଦେବାକୁ ଆଶ୍ୱାସନା ଦେଇଥିଲେ। ଏପ୍ରିଲ ୮, ୨୦୧୫ ରେ,ମୁଫତି ସରକାର ପଣ୍ଡିତମାନଙ୍କୁ ସେମାନଙ୍କର ଉଚ୍ଛେଦ ସ୍ଥାନରେ ସମାଧାନ କରିବା ବିଷୟରେ କଥାବାର୍ତ୍ତା କରିଥିଲେ। ଜାନୁଆରୀ ୧୯, ୨୦୧୭ ରେ କାଶ୍ମୀରପଣ୍ଡିତଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଏକ ସଂକଳ୍ପ ଜାମ୍ମୁ-କାଶ୍ମୀର ବିଧାନସଭାରେ ପାରିତ ହୋଇଥିଲା । ଜାନୁଆରୀ ୨୪, ୨୦୧୭ ରେ, ଜାମ୍ମୁ-କାଶ୍ମୀର ସରକାର ଥଇଥାନ ପାଇଁ ୮ ଟି ସ୍ଥାନରେ ୧୦୦ ଏକର ଜମି ଚିହ୍ନଟ କରିଥିଲେ । 

ଏବେ ଯଦି ବିଭିନ୍ନ ରାଜନୈତିକ ଦଳ ଦ୍ବାରା ଆସୁଥିବା ଅଭିଯୋଗକୁ ଦେଖାଯାଏ ତେବେ ଏହା ସ୍ପଷ୍ଟ  ଯେ ଏହି ପଳାୟନ ସମୟରେ କେନ୍ଦ୍ରରେ ବିଜେପି ସମର୍ଥିତ ଭିପି ସିଂଙ୍କ ସରକାର ଥିଲା ଏବଂ କାଶ୍ମୀରରେ ରାଜ୍ୟପାଳ ଭାବେ ଜଗମୋହନ ଦାୟିତ୍ୱରେ ଥିଲେ କିନ୍ତୁ ଏହା ପୂର୍ବବର୍ତ୍ତୀ ଘଟଣାକୁ ଲକ୍ଷ୍ୟ କଲେ ଜଣାପଡ଼ିବ ଯେ ଫାରୁକ ଅବଦୁଲ୍ଲା ୧୯୮୯ ରେ କାଶ୍ମୀରରୁ ୭୦ ଇସଲାମିକ ଆତଙ୍କବାଦୀଙ୍କୁ ମୁକ୍ତ କରିଥିଲେ। ଏହାପରେ କେନ୍ଦ୍ରରେ ଡିସେମ୍ବର ୧୯୮୯ରେ କଂଗ୍ରେସ ହାତରୁ କ୍ଷମତା ଭିପି ସିଂଙ୍କ ପାଖକୁଯାଇଥିଲା। ଏହି ସମୟରେ ମୁଫତି ସୟିଦ ଭାରତର ଗୃହମନ୍ତ୍ରୀ ହୋଇଥିଲେ। ଏହା ପର ମାସରେ କାଶ୍ମୀରରେ ପଳାୟନ ଘଟିଥିଲା। ଏହି ସମୟରେ କାଶ୍ମୀରରେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ଫାରୁକ୍ ଅବଦୁଳ୍ଲାଙ୍କ ମିଳିତ ସରକାର ଥିଲା।  ଫାରୁକ୍ ଇସ୍ତଫା ଦେବା ପରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ଜଗମୋହନ ଜାନୁଆରୀ ୧୯ରେ ରାଜ୍ୟପାଳ ହୋଇଥିଲେ ଏବଂ ତାଙ୍କୁ ଶ୍ରୀନଗରରେ ପହଞ୍ଚିବା ବେଳକୁ ଜାନୁଆରୀ ୨୧ ହୋଇଯାଇଥିଲା। ଦାୟିତ୍ବ ଗ୍ରହଣ କରିବା ପରେ ସାଙ୍ଗେ ସାଙ୍ଗେ ଏତେ ବଡ଼ ସମସ୍ୟାର ସମାଧାନ ପାଇଁ ଉପାୟ ନ ପାଇ ଜଗମୋହନ ଉପତ୍ୟକାର ଅସହାୟ ହିନ୍ଦୁମାନଙ୍କୁ ଜିହାଦୀମାନଙ୍କ ନିର୍ମମ ଦମନ ଏବଂ ଆକ୍ରମଣରୁ ରକ୍ଷା କରିବା ପାଇଁ କାଶ୍ମୀର ଛାଡ଼ିବାକୁ ଅନୁରୋଧ କରିଥିଲେ। 

ଏହା ବ୍ୟତୀତ ଯେଉଁ ଦ୍ଵିତୀୟ ଅଭିଯୋଗ ଆସୁଛି ଜଗମୋହନଙ୍କ ଦୂରଦୃଷ୍ଟି ଅଭାବରୁ ଏପରି ହୋଇଛି, ତାହା ସଂପୂର୍ଣ୍ଣ ଭିତ୍ତିହୀନ। ପ୍ରଥମତଃ ତାଙ୍କ ଦାୟିତ୍ବ ଗ୍ରହଣ ବେଳକୁ ବିଳମ୍ୱ ହୋଇଯାଇଥିଲା। ଜଗମୋହନ ଉପତ୍ୟକାରେ ଆତଙ୍କବାଦୀ ଏବଂ ଆତଙ୍କବାଦର ସମର୍ଥକମାନଙ୍କୁ ବିରୋଧ କରିଥିଲେ। ରାଜୀବ ଗାନ୍ଧୀଙ୍କୁ ତାଙ୍କର ପ୍ରସିଦ୍ଧ ଖୋଲା ଚିଠି (ଏପ୍ରିଲ ୧୯୮୯) ପ୍ରତ୍ୟେକ ଭାରତୀୟଙ୍କ ଯିଏ ଦେଶର ସମ୍ମାନ ବଞ୍ଚାଇବାକୁ ଆଗ୍ରହୀ ପଢିବା ଆବଶ୍ୟକ। ୯୨ ବର୍ଷ ବୟସରେ ୩୭୦ ଏବଂ ଧାରା ୩୫ଏ ଉଚ୍ଛେଦ ପାଇଁ ବିଜେପି ଅଭିଯାନରେ ତାଙ୍କର ଅଂଶଗ୍ରହଣ, ବିଦେଶୀ ଅର୍ଥ ଏବଂ ସମର୍ଥନ ଉପରେ ସକ୍ରିୟ ଥିବା ଭୟଭୀତ ବିଚ୍ଛିନ୍ନତାବାଦୀଙ୍କ କବଳରୁ କାଶ୍ମୀରକୁ ବଞ୍ଚାଇବା ପାଇଁ ତାଙ୍କର ଆଜୀବନ ପ୍ରତିବଦ୍ଧତା ବିଷୟରେ ସଙ୍କେତ ଦେଇଥାଏ। 

ଏହା ସହିତ ଶ୍ରୀନଗର ପୋଲିସର ଏକ ଆରଟିଆଇ ପ୍ରକାଶ କରି କିଛି ଜଣ କହୁଛନ୍ତି ଯେ କାଶ୍ମୀରରେ "କେବଳ" ୮୯ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ପ୍ରଥମତଃ, ଯେତେବେଳେ ପଳାୟନ କଥା ଆସିଛି ସେତେବେଳେ ହତ୍ୟାକୁ ପଳାୟନରେ ପରିଣତ କରିବା ଅସମ୍ଭବ ନୁହେଁ। ଏହା ବ୍ୟତୀତ ଏହି ଆରଟିଆଇ କାଶ୍ମୀରରେ ଆତଙ୍କବାଦ ଉପରେ ଆନୁଷ୍ଠାନିକ ଭାବରେ କେବେ ବିଚାର ଆରମ୍ଭ କଲା ସେ ବିଷୟରେ ମଧ୍ଯ କୌଣସି ଉଲ୍ଲେଖ ନାହିଁ । 

ଏହି ଚଳଚ୍ଚିତ୍ରଟିକୁ ଅନେକ ମୁସଲମାନ ବିରୋଧୀ ଭାବନାକୁ ଉତ୍ସାହିତ କରୁଛି ବୋଲି ଅଭିଯୋଗ ଆଣିଛନ୍ତି। ସେମାନେ ସେୟାର କରିଥିବା ଭିଡିଓ ଅନୁଯାୟୀ, ଲୋକମାନେ ଦେଶ କେ ଗଦ୍ଦରୋ କୋ, ଗୋଲି ମାରୋ ଶାଲୋ କୋ ସ୍ଲୋଗାନ ଦେଉଥିଲେ, ଯାହାକୁ ସେମାନେ ମୁସଲମାନ ବିରୋଧୀ ବୋଲି ଦର୍ଶାଉଛନ୍ତି। ଚଳଚ୍ଚିତ୍ର ଅପେକ୍ଷା, ଏହା ଭାରତୀୟ ମୁସଲମାନ ସମ୍ପ୍ରଦାୟ ପାଇଁ ଆପତ୍ତିଜନକ ଯେ ସେମାନଙ୍କ ଦୃଷ୍ଟିରେ ମୁସଲମାନମାନେ ଭାରତର ଦେଶଦ୍ରୋହୀ ।

ଏ ସବୁ ମଧ୍ୟରେ ଆଶ୍ଚର୍ଯ୍ୟର କଥା ହେଉଛି ଏହା ଯେ ଏହି ଚଳଚ୍ଚିତ୍ରକୁ ବିରୋଧ କରୁଥିବା ରାଜନୈତିକ ଦଳ ତଥା ଗୋଷ୍ଠୀ ଏହି ସବୁ ସାମ୍ପ୍ରଦାୟିକ ହିଂସାକାଣ୍ଡରେ ଜଡ଼ିତ ଜେ.କେ.ଏଲ୍.ଏଫ୍ ତଥା ଏହାର ନେତା ୟାସିନ ମଲିକ୍ ଙ୍କୁ ନେଇ କୌଣସି ବି ଅଭିଯୋଗ ଆଣୁନାହାନ୍ତି, ବରଂ ହାଫିଜ ସଇଦ ସହ ସଂପୃକ୍ତ ଏହି ବିଚ୍ଛିନ୍ନତାବାଦୀ ନେତାକୁ ଏହି ଗୋଷ୍ଠୀ ଏବଂ କଂଗ୍ରେସ ଇକୋସିଷ୍ଟମ୍ ତାଙ୍କୁ ଦେଶର ପରବର୍ତ୍ତୀ 'ଯୁବ ଆଇକନ୍' ବୋଲି ସମ୍ବୋଧନ କରିବା ସହ ଭାରତର ତତ୍କାଳୀନ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ସହ ଏହି ଆତଙ୍କବାଦୀ ନେତାଙ୍କୁ ଦେଖିବାକୁ ମିଳିଛି। ଅନେକ ହଜାର କାଶ୍ମୀରୀ ପଣ୍ଡିତଙ୍କ ହତ୍ୟା ପାଇଁ ଦାୟୀ ଜଣେ ଆତଙ୍କବାଦୀଙ୍କୁ ଏମାନେ ଏକ ପ୍ରକାର 'ହିରୋ' ଭାବରେ ଚିତ୍ରିତ କରିଛନ୍ତି। 

ସେହିପରି ବିଜେପି ମଧ୍ୟ କାଶ୍ମୀର ପଣ୍ଡିତଙ୍କ ପାଇଁ ଯେଉଁ ସବୁ କାମ କରିଛି ବୋଲି ଯୁକ୍ତି ବାଢୁଛି ଧାରା ୩୭୦ ଓ ୩୫ଏ ଉଚ୍ଛେଦ ପରି ଆଉ ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହିଁ। ଯଦିଓ ସେମାନେ ପଣ୍ଡିତଙ୍କ ପୁନର୍ବାସ ପ୍ରସ୍ତାବ ଏବଂ ବିଭିନ୍ନ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି କିନ୍ତୁ ଏଯାବତ୍ ତାହାର ସଫଳ ରୂପାୟନ ହୋଇପାରିନାହିଁ। ଏବେ ମଧ୍ୟ ଅନେକ ଅପରାଧୀ କାଶ୍ମୀରରେ ଖୋଲାରେ ବୁଲୁଛନ୍ତି। 

ବର୍ତ୍ତମାନ ସମୟରେ ଏହି ଚଳଚ୍ଚିତ୍ରର ବିରୋଧୀଗୋଷ୍ଠୀଙ୍କୁ ଦେଖିଲେ ଭାରି ଦୁଃଖ ଲାଗୁଛି ଯେଉଁମାନେ ନିଜ ଦେଶରେ ନିଜେ ଶରଣାର୍ଥୀ ହୋଇଗଲେ, ସେମାନଙ୍କ ତ୍ୟାଗ ଓ ବଳିଦାନର କଣ କୌଣସି ମୂଲ୍ୟ ନାହିଁ। ଭ୍ରମାତ୍ମକ ତଥ୍ୟ ଉତ୍ଥାପନ ତଥା ହିନ୍ଦୁ ବିରୋଧୀ ମନୋଭାବ ବଲିଉଡ୍ ତଥା ହିନ୍ଦୀ ଚଳଚ୍ଚିତ୍ର ପାଇଁ ନୂଆ ନୁହେଁ। ପୂର୍ବରୁ ମଧ୍ୟ ଚଳଚ୍ଚିତ୍ର ମାଧ୍ୟମରେ କାଶ୍ମୀରକୁ ନେଇ ଅନେକ ଭ୍ରମାତ୍ମକ ତଥ୍ୟ ଉତ୍ଥାପନ କରାଯାଇଛି। ଶ୍ରୀନଗର ରେ ଜନ୍ମିତ ବିଧୂ ବିନୋଦ ଚୋପ୍ରା ମଧ୍ଯ "ଶିକାରା" ମାଧ୍ୟମରେ ନିର୍ଦ୍ଦିଷ୍ଟ ସତ୍ୟକୁ ଲୋକଙ୍କ ମନରୁ ଲିଭାଇ ଏକ ଭ୍ରାନ୍ତଧାରା ଗଠନ କରିବାର ଧୃଷ୍ଟତା କରିଛନ୍ତି, କିନ୍ତୁ ସେସବୁକୁ ବିରୋଧ କରିବା ବଦଳରେ ଏଇ ନିର୍ଦ୍ଦିଷ୍ଟ ବିରୋଧୀଗୋଷ୍ଠୀ ବାସ୍ତବ ସତ୍ୟକୁ ସାମନାକୁ ଆଣୁଥିବା ଚଳଚ୍ଚିତ୍ରର ବିରୋଧ କରୁଛନ୍ତି। କେନ୍ଦ୍ର, ରାଜ୍ୟ ତଥା ନିଜ ପଡ଼ୋଶୀମାନଙ୍କ ଦ୍ୱାରା ବିଶ୍ୱାସଘାତକତାର ଶିକାର ହୋଇଛନ୍ତି କାଶ୍ମୀର ପଣ୍ଡିତ । ଭାରତର ଏକ କ୍ଷୁଦ୍ର ସଂଖ୍ୟାଲଘୁ ସଂପ୍ରଦାୟକୁ ଭାରତର ସର୍ବବୃହତ ସଂଖ୍ୟାଲଘୁ ସଂପ୍ରଦାୟ ଦ୍ୱାରା ଶିକାର କରାଯାଇଥିଲା। ଯଦି ଲୋକମାନେ ଏହି ଚଳଚ୍ଚିତ୍ରରେ ଉପସ୍ଥାପିତ ସତ୍ୟକୁ ଗ୍ରହଣ କରନ୍ତି, ତେବେ ଏହା ଦୀର୍ଘ ଦିନଧରି କାଶ୍ମୀର ପଣ୍ଡିତଙ୍କ ପ୍ରସଙ୍ଗରେ ବନ୍ଦ ଥିବା ନ୍ୟାୟର ପଥ ପରିଷ୍କାର କରିବ। ପ୍ରତ୍ୟେକ ପଣ୍ଡିତଙ୍କ ଦୃଷ୍ଟିକୋଣରୁ କାହାଣୀ ଭିନ୍ନ। ସେମାନଙ୍କର କାହାଣୀ ହୁଏତ ଏହି ଚଳଚ୍ଚିତ୍ରର ଏକ ଅଂଶ ହୋଇନଥାଇପାରେ, କାରଣ ପ୍ରତ୍ୟେକ କାହାଣୀକୁ ଦୁଇ ଘଣ୍ଟାର ଚଳଚ୍ଚିତ୍ରରେ ଅନ୍ତର୍ଭୁକ୍ତ କରିବା ଅସମ୍ଭବ, କିନ୍ତୁ ସେମାନଙ୍କ ସମସ୍ତଙ୍କର ବାଧ୍ୟତାମୂଳକ ପଳାୟନ ଏବଂ ଏହାର ପରବର୍ତ୍ତୀ ସମୟର ଦୁଃଖଦ କାହାଣୀକୁ ସୁନ୍ଦର ଭାବେ ଗଢ଼ିତୋଳିଛି ଏହି ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ପ୍ରତ୍ୟେକ ହିନ୍ଦୁଙ୍କୁ ଏବଂ ଭାରତୀୟଙ୍କୁ ନିଜ ଅତୀତ କାହାଣୀ ମନେ ପକାଇବା ସହ ଭବିଷ୍ୟତ ପିଢ଼ି ପାଇଁ ସଜାଗ ହେବାର ଆହ୍ଵାନ ବିଷୟରେ ଚେତାଇଦେଉଛି। ଯଦି ଆପଣ ଏ ଚଳଚ୍ଚିତ୍ର ଦେଖିନାହାନ୍ତି ଅନୁରୋଧ କରିବି ଥରେ ଯାଇ ଦେଖନ୍ତୁ ଓ ଭାରତ ଇତିହାସର ଏଇ ବର୍ବରୋଚିତ ଅଧ୍ୟାୟ ସହ ପରିଚିତ ହୁଅନ୍ତୁ।