ବିଗତ କିଛି ବର୍ଷ ମଧ୍ୟରେ ଓଭର-ଦ-ଟପ୍ (ଓଟିଟି) ପ୍ଲାଟଫର୍ମର ଲୋକପ୍ରିୟତା ବୃଦ୍ଧି ଆମର ମନୋରଞ୍ଜନ ବ୍ୟବହାର କରିବାର ଶୈଳୀକୁ ବଦଳାଇ ଦେଇଛି । ଏସବୁ ବିଷୟକୁ ଯିବା ପୂର୍ବରୁ ପ୍ରଥମେ ଓଟିଟି କଣ ଜାଣିନେବା ଆବଶ୍ୟକ। ଓଟିଟି ବା ଓଭର ଦି ଟପ୍ ମିଡିଆ ସେବା ହେଉଛି ଏକ ଷ୍ଟ୍ରିମିଂ ମିଡିଆ ସେବା ଯାହାକି ଇଣ୍ଟରନେଟ୍ ମାଧ୍ୟମରେ ଦର୍ଶକଙ୍କୁ ସିଧାସଳଖ ପ୍ରଦାନ କରାଯାଇଥାଏ | ଏହି ଡିଜିଟାଲ୍ ଷ୍ଟ୍ରିମିଂ ସେବାଗୁଡ଼ିକ ଆକର୍ଷଣୀୟ ଡ୍ରାମାଠାରୁ ଆରମ୍ଭ କରି କମେଡି ଏବଂ ବିଭିନ୍ନ ସିନେମା ପର୍ଯ୍ୟନ୍ତ ବିଷୟବସ୍ତୁ ପ୍ରଦାନ କରିଥାଏ । 

ଓଟିଟି ପ୍ଲାଟଫର୍ମ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି, ଯାହା ଚଳଚ୍ଚିତ୍ର, ୱେବ୍ ସିରିଜ୍ ଏବଂ ଡକ୍ୟୁମେଣ୍ଟାରୀକୁ ସୁବିଧାଜନକ ଆକସେସ୍ ପ୍ରଦାନ କରୁଛି । ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ ଏବଂ ଡିଜନି ହଟଷ୍ଟାର ଭଳି ପ୍ଲାଟଫର୍ମର ଆବିର୍ଭାବ ସହିତ ଦର୍ଶକ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ କଣ୍ଟେଣ୍ଟ ବା ବିଷୟବସ୍ତୁକୁ ଉପଭୋଗ କରିପାରିବେ । ଭାରତ ହେଉଛି ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଓଟିଟି ବଜାର, ଓଟିଟିର ବାର୍ଷିକ ଅଭିବୃଦ୍ଧି ହାରରେ ୨୮.୬ ପ୍ରତିଶତ ବୃଦ୍ଧି ପାଇଛି । ମୋଟ ଓଟିଟି ଭିଡିଓ ରାଜସ୍ୱ ଦୃଷ୍ଟିରୁ ଭାରତ ୨୦୨୪ ଶେଷ ସୁଦ୍ଧା ଦକ୍ଷିଣ କୋରିଆ, ଜର୍ମାନୀ ଏବଂ ଅଷ୍ଟ୍ରେଲିଆକୁ ଅତିକ୍ରମ କରି ଷଷ୍ଠ ବୃହତ୍ତମ ବଜାର ହେବ । ଭାରତରେ ଓଟିଟି ପ୍ଲାଟଫର୍ମଗୁଡିକ ବୃଦ୍ଧି ହେବାର କାରଣ ହେଉଛି ଟେଲିଭିଜନରେ ପ୍ରସାରିତ ବିଷୟବସ୍ତୁରେ ଅପ୍ରାସଙ୍ଗିକତା ତଥା ଓଟିଟି ରେ ନିୟାମକ ସଂସ୍ଥା ନଥିବାରୁ ପ୍ରସାରଣର ସ୍ୱାଧୀନତା । ତେବେ ଏହି ସ୍ୱାଧୀନତା ଯୋଗୁଁ ଅଶ୍ଲୀଳ ଓ ନକାରାତ୍ମକ କଣ୍ଟେଣ୍ଟ ମଧ୍ୟ ବୃଦ୍ଧି ପାଇଛି । କଳାତ୍ମକ ସ୍ଵାଧୀନତା ଓ ସୃଜନଶୀଳତା ଆଳରେ ଧୀରେ ଧୀରେ ଏସବୁ ବିଷୟବସ୍ତୁ ବୃଦ୍ଧି ପାଇଛି । କଳାତ୍ମକ ସ୍ୱାଧୀନତା ଅତ୍ୟାବଶ୍ୟକ ହୋଇଥିଲେ ମଧ୍ୟ ସୃଜନଶୀଳ ଅଭିବ୍ୟକ୍ତି ଓ ଅଶ୍ଳୀଳତା ମଧ୍ୟରେ ଥିବା ସୀମରେଖାକୁ କିଛି ଓଟିଟି ପ୍ଲାଟଫର୍ମ ଅତିକ୍ରମ କରିଛନ୍ତି, ଯେଉଁଥିରେ ଅଶ୍ଳୀଳ ଦୃଶ୍ୟ, ନଗ୍ନତା ଏବଂ ଯୌନ ବିଷୟବସ୍ତୁ ରହିଛି । ଯଦିଓ ଏହା ନିର୍ଦ୍ଦିଷ୍ଟ ଦର୍ଶକଙ୍କୁ ଆକର୍ଷିତ କରିପାରେ, କିନ୍ତୁ ଏହା ବିବାଦ ସୃଷ୍ଟି କରିଛି ଏବଂ ଦାୟିତ୍ୱପୂର୍ଣ୍ଣ ବିଷୟବସ୍ତୁ ସୃଷ୍ଟି ଉପରେ ପ୍ରଶ୍ନ ଉଠାଇଛି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜରିଆରେ ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ ଓ ଅଶ୍ଳୀଳ ବିଷୟବସ୍ତୁ ବିରୋଧରେ ଭାରତ ସରକାର ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଭଳି ବିଷୟବସ୍ତୁ ପ୍ରସାରଣ କରୁଥିବା ୧୮ଟି ଓଟିଟି ପ୍ଲାଟଫର୍ମକୁ ସରକାର ବ୍ୟାନ କରିଛନ୍ତି । ଏହି ପ୍ଲାଟଫର୍ମଗୁଡ଼ିକ ମଧ୍ୟରେ ଡ୍ରିମ୍ସ ଫିଲ୍ମସ୍, ଭୁଭି, ୟେସ୍ମା, ଅନକଟ୍ ଆଡ୍ଡା, ଟ୍ରାଇ ଫ୍ଲିକ୍ସ, ଏକ୍ସ ପ୍ରାଇମ, ନିଓନ୍ ଏକ୍ସ ଭିଆଇପି, ବେଶରମ, ହଣ୍ଟର୍ସ, ରାବିଟ୍, ଏକ୍ସଟ୍ରାମୁଡ, ନ୍ୟୁଫ୍ଲିକ୍ସ, ମୁଡ୍ ଏକ୍ସ, ମୋଜଫ୍ଲିକ୍ସ, ହଟ୍ ସଟ୍ସ ଭିଆଇପି, ଫୁଗି, ଚିକୁଫ୍ଲିକ୍ସ ଏବଂ ପ୍ରାଇମ ପ୍ଲେ ରହିଛି । ଏହି ପ୍ଲାଟଫର୍ମଗୁଡିକ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଟ୍ରେଲର, ନିର୍ଦ୍ଦିଷ୍ଟ ଦୃଶ୍ୟ ଏବଂ ସେ ସବୁ କଣ୍ଟେଣ୍ଟର ଲିଙ୍କ୍ ପ୍ରସାରଣ କରିବା ପାଇଁ ସୋସିଆଲ ମିଡିଆକୁ ବ୍ୟାପକ ଭାବରେ ବ୍ୟବହାର କରିଥିଲେ । ପ୍ଲାଟଫର୍ମକୁ ବ୍ୟାନ୍ କରିବା ସହିତ ସରକାର ୧୯ଟି ୱେବସାଇଟ୍, ୧୮ଟି ଆପ୍ ଏବଂ ସେମାନଙ୍କ ସହ ଜଡ଼ିତ ୫୭ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ଅଚଳ କରିଦେଇଛନ୍ତି । ଅନୁପଯୁକ୍ତ ବିଷୟବସ୍ତୁର ପ୍ରସାରକୁ ରୋକିବା ପାଇଁ ଏହି ବ୍ୟାପକ ପଦକ୍ଷେପ ନିଆଯାଇଛି । ମନ୍ତ୍ରଣାଳୟ ଆଲୋକପାତ କରିଛି ଯେ ବିଷୟବସ୍ତୁର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ମହିଳାମାନଙ୍କୁ ଅପମାନଜନକ ଢଙ୍ଗରେ ଚିତ୍ରଣ କରିଛି। ଏଥିରେ ନଗ୍ନତା, ଯୌନ କ୍ରିୟା ଏବଂ ଅଶ୍ଳୀଳ ପ୍ରସଙ୍ଗ, ଯେପରିକି ଶିକ୍ଷକ ଏବଂ ଛାତ୍ରଙ୍କ ମଧ୍ୟରେ ସମ୍ପର୍କ କିମ୍ବା ଅନୈତିକ ପାରିବାରିକ ସମ୍ପର୍କ ଅନ୍ତର୍ଭୁକ୍ତ ଥିଲା । ସୂଚନା ପ୍ରଯୁକ୍ତି ବିଦ୍ୟା(ଆଇ ଟି) ଆଇନ, ୨୦୦୦ର ବ୍ୟବସ୍ଥା ଅନୁଯାୟୀ ଗଣମାଧ୍ୟମ, ମନୋରଞ୍ଜନ, ମହିଳା ଅଧିକାର ଏବଂ ଶିଶୁ ଅଧିକାର କ୍ଷେତ୍ରର ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏହି ପ୍ଲାଟଫର୍ମଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଆଇଟି ଆଇନର ଧାରା ୬୭ ଓ ୬୭ଏ, ଆଇପିସିର ଧାରା ୨୯୨ ଏବଂ ୧୯୮୬ର ଧାରା ୪ର ଉଲ୍ଲଂଘନ କରୁଥିବାରୁ ଭାରତ ସରକାର ଏବେ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ମାର୍ଚ୍ଚ ୧୪ ତାରିଖ ଗୁରୁବାର ଏହି କଟକଣା ଜାରି କରାଯାଇଛି ।

ଯେପରି ଉର୍ବର ଜମିରେ ଯଦି ଠିକ୍ ସମୟରେ ଫସଲ କରାନଯାଏ, ତେବେ ଜମିରେ ବାଳୁଙ୍ଗା ପରି ବିଭିନ୍ନ ଅନାବନା ତୃଣ ସୃଷ୍ଟି ହୋଇଥାଏ । ଓଟିଟି ପ୍ଲାଟଫର୍ମ ସହ ମଧ୍ୟ ସମାନ ଘଟୁଛି ସୃଜନଶୀଳତାର ଅଭାବରୁ ଓଟିଟିରେ ଧୀରେ ଧୀରେ ଅଶ୍ଳୀଳ ତଥା ନକାରାତ୍ମକ ବିଷୟର ବୃଦ୍ଧି ଘଟୁଛି । ସମୟ କ୍ରମେ ଯୁବପିଢିଙ୍କ ମଧ୍ୟରେ ଓଟିଟିର ଟ୍ରେଣ୍ଡ ବଢ଼ୁଥିବାରୁ ନକାରାତ୍ମକ ବିଷୟବସ୍ତୁ ଖୁବ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ମନୋରଞ୍ଜନ ନାଁରେ ଓଟିଟି ଏବଂ ବିଭିନ୍ନ ୱେବ୍ ପୋର୍ଟାଲ ଜରିଆରେ ଅଶ୍ଳୀଳତା ମଧ୍ୟ ପରିବେଷଣ କରାଯାଉଛି । ଓଟିଟିର ଲୋକପ୍ରିୟତା କାରଣରୁ ଭାରତୀୟ ଯୁବପିଢ଼ିଙ୍କ ଜୀବନକୁ ଅଶ୍ଳୀଳତା ତଥା ନଗ୍ନତାର ଜାଲରେ ଫସାଇ ପଥଭ୍ରଷ୍ଟ କରିବା ପାଇଁ ପ୍ରୟାସ ଚାଲିଛି । ଅନେକ ଓଟିଟିରେ ଏପରି ବିଷୟବସ୍ତୁ ଦେଖିବାକୁ ମିଳୁଛି ଯେଉଁଥିରେ ଅଶ୍ଳୀଳତା ମାଧ୍ୟମରେ ଭାରତୀୟ ପରିବାର ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ କାର୍ଯ୍ୟ କରାଯାଉଛି । 

ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଛି ଲୋକ ଅଶ୍ଲୀଳ ବିଷୟବସ୍ତୁ ଉପରେ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରୁଥିବା ବେଳେ ଅନ୍ୟମାନେ ବ୍ୟାନ ନୁହେଁ ବରଂ କଳାତ୍ମକ ସ୍ୱାଧୀନତାକୁ ସମ୍ମାନ ଦେଇ ଏକ ସନ୍ତୁଳିତ ଆଭିମୁଖ୍ୟ ପାଇଁ ଯୁକ୍ତି ବାଢ଼ିଛନ୍ତି । କଳାତ୍ମକ ସ୍ୱାଧୀନତା ବା ସୃଜନଶୀଳତା ଏବଂ ଦାୟିତ୍ୱବୋଧ ମଧ୍ୟରେ ସଠିକ୍ ସନ୍ତୁଳନ ରକ୍ଷା କରିବା ପାଇଁ ଓଟିଟି ସଂସ୍ଥାଗୁଡ଼ିକ ସେମାନଙ୍କ ବିଷୟବସ୍ତୁର ପୁନଃ ମୂଲ୍ୟାୟନ କରିବା ଆବଶ୍ୟକ । ଏଭଳି ସମସ୍ତ ପ୍ରକାର ମୋବାଇଲ ଆପ୍ ଏବଂ ୱେବ୍ ପୋର୍ଟାଲ୍ ଉପରେ ସରକାରୀ ନିୟନ୍ତ୍ରଣର ଆବଶ୍ୟକତା ମଧ୍ୟ ଦୀର୍ଘ ଦିନ ଧରି ଅନୁଭୂତ ହେଉଥିଲା । ଏଥିସହ ସମସ୍ତ ପ୍ରକାର ମୋବାଇଲ ଆପ୍ ଓ ୱେବ୍ ପୋର୍ଟାଲରେ ଦେଖାଯାଉଥିବା ଅଶ୍ଳୀଳତାକୁ ସମାଜ ଖୋଲାଖୋଲି ବିରୋଧ କରିବା ସହ ସରକାର ଏ ଦିଗରେ କଠୋର ନିୟମ ପ୍ରଣୟନ କରିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ଭାରତୀୟ ସୋସିଆଲ ମିଡିଆ, ଓଟିଟି, ମୋବାଇଲ ଆପ୍ ଏବଂ ୱେବ୍ ପୋର୍ଟାଲରେ ନିୟନ୍ତ୍ରଣ ପାଇଁ ସରକାର ଓ ପ୍ରଶାସନ ଏକ ନିୟାମକ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି । 

ଏହି ସବୁ ଘଟଣାକୁ ଧ୍ୟାନ ରେ ରଖି ହଟଷ୍ଟାର୍, ସୋନି ଲିଭ୍, ଜିଓ ଏବଂ ଏରୋସ୍ ଏକ ସ୍ୱ-ନିୟାମକ ସଂସ୍ଥାଗତ ବର୍ଷ ଡିଜିଟାଲ୍ କ୍ୟୁରେଟେଡ୍ କଣ୍ଟେଣ୍ଟ କମ୍ପ୍ଲେନ କାଉନସିଲ ପରିଷଦ (ଡିସିସିସିସି), ଗଠନ କରିଥିଲେ । ଏହା ଦ୍ୱାରା ଓଟିଟି ରେ ପ୍ରସାରିତ ବିଷୟବସ୍ତୁରେ ଅନିୟମିତତାର ମୁକାବିଲା କରିବା ଏବଂ ସେମାନଙ୍କ ଉପରେ ସରକାରଙ୍କ ନିଜସ୍ୱ ନିୟମ ଲାଗୁ ନହେବା ଉଦ୍ଦେଶ୍ୟରେ କରାଯାଇଥିଲା, କିନ୍ତୁ ଆଶ୍ଚର୍ଯ୍ୟର କଥା, ଅଧିକାଂଶ ଓଟିଟି ପ୍ଲାଟଫର୍ମ ଯେପରିକି ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ଅଲ୍ଟ ବାଲାଜୀ, ଏମଏକ୍ସ ପ୍ଲେୟାର, ଜି ଇତ୍ୟାଦି ଏହି ପଦକ୍ଷେପକୁ ସମର୍ଥନ କରିନଥିଲେ କାରଣ ଏହା ବ୍ରଡକାଷ୍ଟ କଣ୍ଟେଣ୍ଟ କଂପ୍ଲେନ କାଉନସିଲ (ବିସିସିସି) ଅଣ-ସମ୍ବାଦ ମନୋରଞ୍ଜନ ଚ୍ୟାନେଲ ପାଇଁ ନିୟାମକ ସଂସ୍ଥା ସହିତ ସମାନ । ସେମାନେ ଭାବନ୍ତି ଯେ ଏକ ପ୍ରସାରଣ ଚ୍ୟାନେଲ ଏବଂ ଏକ ଓଟିଟି ପ୍ଲାଟଫର୍ମ ମଧ୍ୟରେ ଥିବା ପାର୍ଥକ୍ୟ ନଷ୍ଟ ହୋଇଯିବ ଏବଂ ସେମାନଙ୍କର ମୁକ୍ତ ବକ୍ତବ୍ୟର ବା ସ୍ୱାଧୀନତାର ଅଧିକାର ଉଲ୍ଲଂଘନ ହେବ । ବିଭିନ୍ନ ଓଟିଟି ସଂସ୍ଥା ମଧ୍ୟରେ ନିୟାମକ କୁ ନେଇ ଅନିୟମତତା, ପ୍ରଦର୍ଶିତ ବିଷୟବସ୍ତୁକୁ ନେଇ ସୃଷ୍ଟି ହେଉଥିବା ଅଭିଯୋଗ ଏବଂ ମିଳିଥିବା ସ୍ଵଧୀନତାର ଅପବ୍ୟବହାର କାରଣରୁ ସରକାରୀ ସଂସ୍ଥା ତଥା ମନ୍ତ୍ରାଳୟ ତରଫରୁ ଏକ ସ୍ଵତନ୍ତ୍ର ନିୟମାବଳୀ ଆବଶ୍ୟକ ରହିଥିଲା। ଏପରିକି ୨୦୨୧ ଫେବୃୟାରୀ ୨୫ ତାରିଖ ଦିନ ସୋସିଆଲ ମିଡିଆ ତଥା ଓଟିଟି ପ୍ଲାଟଫର୍ମ ପାଇଁ ନୂତନ ନୀତି ମଧ୍ୟ ସରକାର ପ୍ରସ୍ତୁତ କରିଥିଲେ । ଓଟିଟି ଗୁଡ଼ିକ ଆରମ୍ଭରୁ ଆଇଟି ମନ୍ତ୍ରାଳୟ ଅନ୍ତର୍ଗତ ଆସୁଥିଲେ ମଧ୍ୟ କେବଳ ତାର ବୈଷୟିକ ଦିଗ ଉପରେ ମନ୍ତ୍ରାଳୟର ନିୟନ୍ତ୍ରଣ ଥିଲା କିନ୍ତୁ ବିଷୟବସ୍ତୁ ଉପରେ ନିୟନ୍ତ୍ରଣ ନ ଥିଲା । ଏହାର ସୁଯୋଗ ନେଇ ମୁକ୍ତ ବକ୍ତବ୍ୟ ବା ସ୍ୱାଧୀନତାର ଅଧିକାର ଉଲ୍ଲଂଘନ କହି ଅନେକ ଓଟିଟି ନିଜ ଅନୁସାରେ ବିଷୟବସ୍ତୁ ପ୍ରସ୍ତୁତ କରିଲେ । 

ଇଣ୍ଟରନେଟ ବିକଶିତ ହେବା ସହିତ ଡିଜିଟାଲ ମନୋରଂଜନର କ୍ଷେତ୍ରରେ ମଧ୍ୟ ବ୍ୟାପକ ବୃଦ୍ଧି ଘଟୁଛି । ଏସବୁକୁ ଧ୍ୟାନରେ ରଖି ଓଟିଟି ସଂସ୍ଥା ସାମାଜିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ସହିତ କଳାତ୍ମକ ଅଭିବ୍ୟକ୍ତିକୁ ସମ୍ମାନ ଦେଉଥିବା ଏକ ମଧ୍ୟମ ମାର୍ଗ ଖୋଜିବା ଜରୁରୀ ଅଟେ । ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଡିଜିଟାଲ ମନୋରଞ୍ଜନରେ ଶାଳୀନତା ମାନ ବଜାୟ ରଖିବା ପାଇଁ ଏକ କ୍ଷୁଦ୍ର ପଦକ୍ଷେପ । କେବଳ ଅଶ୍ଳୀଳତା ନୁହେଁ ବର୍ତ୍ତମାନ ସମୟରେ ଓଟିଟି ଗୁଡିକରେ ପ୍ରଦର୍ଶିତ ବିଷୟବସ୍ତୁ ଯୌନ ସମ୍ବନ୍ଧୀୟ ଆପତ୍ତିଜନକ ଦୃଶ୍ୟ, ସମାଜର ବିଭିନ୍ନ କୁସଂସ୍କାର ଏବଂ ଧାର୍ମିକ ହିଂସା, ଦେଶ ପ୍ରତି ଅସମ୍ମାନ, ମହିଳା ବିରୋଧୀ, ପିଲାମାନଙ୍କୁ ଅପରାଧିକ କାର୍ଯ୍ୟକଳାପରେ ନିୟୋଜିତ ତଥା ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି । ଏହି ପ୍ଲାଟଫର୍ମଗୁଡିକ ନିୟନ୍ତ୍ରିତ ବା ସେନ୍ସର କରିବା ପାଇଁ ଦୃଢ଼ ନିୟାମକ ଏବଂ ଅଶ୍ଳୀଳ ତଥା ଆଇନଗତ ଭାବରେ ସୀମିତ ବିଷୟବସ୍ତୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।