ବିବାଦୀୟ ଚଳଚ୍ଚିତ୍ର "ଛପାକ୍"


ଦେଶରେ ଅନେକ ବିଶ୍ୱବିଦ୍ୟାଳୟ ରହିଥିବା ସ୍ଥଳେ ଜେ ଏନ୍ ୟୁ ଏପରି ଏକ ବିଶ୍ବବିଦ୍ୟାଳୟ ଯାହା ସବୁବେଳେ ବିବାଦର କେନ୍ଦ୍ର ସାଜିଛି। ଗତ ସପ୍ତାହରେ ସଂଗଠିତ ଛାତ୍ର ହିଂସା ତଥା ନିକଟ ଅତୀତରେ ସଂଗଠିତ ଦେଶବିରୋଧୀ ଧାରଣା ତଥା ସହରୀ ମାଓବାଦ ଏସବୁ କୁ ନେଇ ଜେ ଏନ୍ ୟୁ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ବର୍ତ୍ତମାନ କିନ୍ତୁ ମୁଁ ସେ ସବୁ ବିବାଦ ବିଷୟରେ ନ ଲେଖି ବିବାଦକୁ ଭଲ ପାଉଥିବା ବଲିଉଡ୍ (ହିନ୍ଦୀ ଚଳଚ୍ଚିତ୍ର ଜଗତ) ସମ୍ବନ୍ଧରେ ଲେଖୁଛି। ମୁକ୍ତିଲାଭ ପୂର୍ବରୁ ଦୀପିକା ପାଦୁକୋନ ଙ୍କ "ଛପାକ୍" ଚଳଚ୍ଚିତ୍ର ଏବେ ବିବାଦୀୟ ହୋଇଉଠିଛି। ଚଳଚ୍ଚିତ୍ରଟି ୨୦୦୫ରେ ଏସିଡ ଆକ୍ରମଣର ଶିକାର ଲକ୍ଷ୍ମୀ ଅଗ୍ରୱାଲ ଙ୍କ ସଂଘର୍ଷ କାହାଣୀକୁ ନେଇ ଗଠିତ।  ଚଳଚ୍ଚିତ୍ରଟି ବିବାଦ ଘେରରେ ଆସିବା ପଛରେ ଚଳଚ୍ଚିତ୍ରର PR ଟିମ୍ ଅର୍ଥାତ୍ ଲୋକସମ୍ପର୍କ ବିଭାଗ ଯାହା ପ୍ରଚାର ପ୍ରସାର କରିଥାଏ ଦାୟୀ।  ଚଳଚ୍ଚିତ୍ରଟି ଦକ୍ଷିଣ ଭାରତୀୟ ଅଭିନେତା ରଜନୀକାନ୍ତ ଙ୍କ ଦରବାର ତଥା ଅଜୟ ଦେବଗନ୍ ଙ୍କ ତାନାଜୀ ସହିତ ମୁକ୍ତିଲାଭ କରୁଛି ତେଣୁ ମୁକାବିଲା ରେ ଚଳଚ୍ଚିତ୍ର ପଛରେ ନ ପଡିଯାଉ ତେଣୁ ବିବାଦ ସୃଷ୍ଟି କରାଯାଉଛି।  ଚଳଚ୍ଚିତ୍ରକୁ ନେଇ ଏବେ ଦୁଇଟି ବିବାଦ ମୁଖ୍ୟତଃ ସାମନା କୁ ଆସିଛି ପ୍ରଥମଟି ହେଉଛି ଚରିତ୍ରର ଧର୍ମନିରପେକ୍ଷ ଅବତାରଣା ତଥା ଜେ ଏନ୍ ୟୁ ଛାତ୍ରହିଂସା ତଥା ସେଠାରେ ସଂଗଠିତ ବାମପନ୍ଥୀ ଆନ୍ଦୋଳନ ରେ ଦୀପିକା ପାଦୁକୋନ୍ ଙ୍କ ସମର୍ଥନ ଆଉ ଉପସ୍ଥିତି। 
 ପ୍ରଥମ ବିବାଦ ବିଷୟରେ କହିବାକୁ ଚାହୁଁଛି ସବୁ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଘୁରିବୁଲୁଛି ଯେ ଛପାକ୍ ଚଳଚ୍ଚିତ୍ରରେ ଏସିଡ୍ ଫିଙ୍ଗିଥିବା ଯୁବକର ନାମ ରାଜେଶ୍ ଶର୍ମା କିନ୍ତୁ ପ୍ରକୃତ ପକ୍ଷେ ଏସିଡ୍ ଫିଂଗିଥିବା ବ୍ୟକ୍ତିର ନାମ ନଦୀମ୍ ଖାନ୍। ଏହା ଏପରି ଭାବରେ ବ୍ୟାପିଥିଲା ଯେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିତ୍ୱ ମଧ୍ୟ ଏହାକୁ ଶେୟାର କରିଥିଲେ। ଭାଇରାଲ୍ ତଥା ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଥିବା ଏହି ମେସେଜ ପଛରେ ରହିଥିଲା ଛପାକ୍ ର ପ୍ରଚାର ପ୍ରସାର ଟିମ୍। ଦେଶରେ ନାଗରିକ ସଂଶୋଧନ ଆଇନ୍ କୁ ନେଇ ଯେପରି ଧାର୍ମିକ ବିଭେଦତା ସୃଷ୍ଟି କରାଯାଉଛି ଏମାନେ ତା ମାଧ୍ୟମରେ ଏପରି ଏକ ବାର୍ତ୍ତା ଦେଇ ବିବାଦ ସୃଷ୍ଟି କରିଥିଲେ ଏବଂ ନିଜେ ଆସି ଏହା ରାଜେଶ୍ ଶର୍ମା ନୁହେଁ ବରଂ ବଶୀର୍ ଖାନ୍ ବୋଲି ସଫେଇ ଦେଇଥିଲେ। ତାଙ୍କର ଏହି ସୁପରିକଳ୍ପିତ ପ୍ରଚାର ପ୍ରସାର ଯୋଜନାରେ ଅନେକ ବ୍ୟକ୍ତିତ୍ୱ ଫସିଯାଇଥିଲେ। ଏପରି କରି କିଛି ନୁହେଁ କେବଳ ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ଚେଷ୍ଟା କରିଥିଲେ ନିର୍ମାତା। 
ଦ୍ଵିତୀୟ ତଥା ବଡ଼ ବିବାଦ ହେଉଛି ବାମପନ୍ଥୀ ଛାତ୍ର ସଂଗଠନର ଆନ୍ଦୋଳନରେ ଉପସ୍ଥିତି ତଥା ସମର୍ଥନ। ଦୀପିକଙ୍କ ଚଳଚ୍ଚିତ୍ର ନାରୀ ଅତ୍ୟାଚାର ତଥା ସଂଘର୍ଷ କୁ ନେଇ ଗଠିତ ହୋଇଥିବାବେଳେ ସେ ଯେଉଁ ଛାତ୍ରନେତା କହ୍ନେୟା କୁମାରଙ୍କ ଭାଷଣ ଶୁଣୁଥିଲେ ୨୦୧୫ ରେ ସେ ସର୍ବସାଧାରଣ ସ୍ଥାନରେ ପରିସ୍ରା କରୁଥିବା ସମୟରେ ତାଙ୍କୁ ବିରୋଧ କରିବାରୁ ସେ ଅସଦାଚରଣ କରିଥିଲେ ଓ ସେଥିଲାଗି ୩୦୦୦ ଟଙ୍କାର ଜୋରିମାନା ମଧ୍ୟ ଦେଇଥିଲେ। 
ଦୀପିକା ନିଜର ସଫେଇରେ କହିଛନ୍ତି ସେ ଛାତ୍ରମାନଙ୍କୁ ସମବେଦନା ଜଣାଇବା ପାଇଁ ଯାଇଥିଲେ। ଜେ ଏନ୍ ୟୁ ପ୍ରଶାସନ ତଥା ଦିଲ୍ଲୀ ପୋଲିସ୍ ଜାରି କରିଥିବା ଏଫ୍ ଆଇ ଆର୍ ଅନୁସାରେ ହିଂସାକାଣ୍ଡ ଆରମ୍ଭ ଲାଗି ଆଇଶି ଘୋଷ୍ ତଥା ୧୯ ଜଣ ବାମପନ୍ଥୀ ଛାତ୍ର ସଂଗଠନର କର୍ମକର୍ତ୍ତା ସଂପୃକ୍ତ ଅଛନ୍ତି। ସମବେଦନା ଜଣାଇବା ପାଇଁ ଯଦି ଦୀପିକା ଯାଇଥିଲେ ତେବେ ସାଧାରଣ ଛାତ୍ରମାନଙ୍କ ପାଖକୁ କାହିଁକି ଯାଇନଥିଲେ। ଛାତ୍ର ହିଂସାରେ ସଂପୃକ୍ତ ତଥା ଆହତ ଆଇଶି ଘୋଷ୍ ଙ୍କ ସହିତ ଉଠାଇଥିବା ଫଟୋ କୁ ନେଇ ଚଳଚ୍ଚିତ୍ର ର PR ବିଭାଗ ବା ପ୍ରଚାର ପ୍ରସାର ବିଭାଗ ତରଫରୁ ବ୍ୟବହାର କରାଯାଇ ଛପାକ୍ କୁ ଲୋକପ୍ରିୟତା ଦେବାର ଚେଷ୍ଟା କରିବା କଣ ସମବେଦନା। 
ଚଳଚ୍ଚିତ୍ରଟିର PR ବିଭାଗ ସୂତ୍ରରୁ ଜଣାପଡିଛି ଯେ ସେଦିନ ନିର୍ଭୟା ଅପରାଧୀ ମାନଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିବାରୁ ନିର୍ଭୟା ପରିବାର ସହ ଦୀପିକା ଙ୍କ ସାକ୍ଷାତ ବ୍ୟବସ୍ଥା କରାଯାଇଥିଲା କିନ୍ତୁ ନିର୍ଭୟା ଘଟଣା ଅପେକ୍ଷା ଜେ ଏନ୍ ୟୁ ଘଟଣା ଚର୍ଚ୍ଚାରେ ଥିବାରୁ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରାଯାଇଥିଲା। 
ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ମେଘନା ଗୁଲଜାର ପୂର୍ବରୁ "ରାଜି" ଚଳଚ୍ଚିତ୍ରରେ ଆନ୍ତର୍ଜାତିକ ସ୍ତରରେ ପ୍ରସଂଶା ପାଇବାଲାଗି ପାକିସ୍ଥାନ କୁ ନିରୀହ ରାଷ୍ଟ୍ର ରୂପେ ଦର୍ଶାଇଥିଲେ। ତେଣୁ ତାଙ୍କଠାରୁ ଆଉ କଣ ଅଧିକ ଆଶା କରାଯାଇପାରେ। 
ଲକ୍ଷ୍ମୀ ଅଗ୍ରୱାଲଙ୍କ ସଂଘର୍ଷ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ ଏହା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବା ଦରକାର କିନ୍ତୁ ଶସ୍ତା ଲୋକପ୍ରିୟତା ପାଇଁ ଏପରି ଉପାୟ ଏହାର ବିପରୀତ ନ ହେଉ ତଥା ଏହାଦ୍ବାରା ଲକ୍ଷ୍ମୀ ଅଗ୍ରୱାଲଙ୍କ ପ୍ରତି ଯେପରି ଆଙ୍ଗୁଳି ନ ଉଠୁ। ବଲିଉଡ୍ ରେ ପୂର୍ବରୁ ମଧ୍ୟ ଚଳଚ୍ଚିତ୍ରର ପ୍ରଚାର ପ୍ରସାର ନିମନ୍ତେ ଅନେକ ଅଭିନବ ତଥା ବିବାଦୀୟ ଉପାୟ ଆପଣାଯାଇଛି କିନ୍ତୁ ମୁକାବିଲା ରେ ପଛରେ ପଡିଯିବାର ଭୟ ତଥା ଶସ୍ତା ଲୋକପ୍ରିୟତା ନିମନ୍ତେ ଧାର୍ମିକ ବିଭେଦ ତଥା ଛାତ୍ର ରାଜନୀତି ର ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ।