ଭ୍ରମାତ୍ମକ ଚଳଚ୍ଚିତ୍ର 
ଶିକାରା: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍ କାଶ୍ମୀର


ଗତ ୭ ତାରିଖରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ "ଶିକାରା" ଚଳଚ୍ଚିତ୍ରର ସ୍ଵତନ୍ତ୍ର ପ୍ରଦର୍ଶନୀ ସମୟର ଜନୈକା ମହିଳାଙ୍କର ଭିଡିଓ ନଜରକୁ ଆସିଥିଲା। ଏହି ଭିଡିଓ ରେ ମହିଳା ଜଣକ କାନ୍ଦିବା ସହିତ ଚଳଚ୍ଚିତ୍ରରେ ହିନ୍ଦୁ ମାନଙ୍କୁ ନେଇ ପ୍ରଦର୍ଶିତ ଭୁଲ୍ ତଥ୍ୟ କୁ ନେଇ ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରା ଙ୍କ ଠାରୁ ସ୍ପଷ୍ଟୀକରଣ ଚାହୁଁଥିଲେ କିନ୍ତୁ ଏହାର ପ୍ରତ୍ୟୁତ୍ତରରେ ସେ ହସିବା ସହ "ସତ୍ୟକୁ ବିଭିନ୍ନ ଦିଗରୁ ଦେଖାଯାଇପାରେ,କେହି କେହି କ୍ଷୀର ପିଇଲେ ମଧ୍ୟ ତାଙ୍କୁ ନିଶା ହୋଇଥାଏ" ବୋଲି କହିଥିଲେ। ଏହି ଭିଡିଓ ଟିକ ଦେଖିବାପରେ ଚଳଚ୍ଚିତ୍ରଟି ଦେଖିବା ଆବଶ୍ୟକ ମନେ କଲି ଆଉ ଦେଖିବାପରେ ସ୍ପଷ୍ଟ ଭାବେ ଏତିକି କହିବି "ଶିକାରା" ଚଳଚ୍ଚିତ୍ର ମାଧ୍ୟମରେ ବାସ୍ତବରେ ସତ୍ୟର ଶିକାର କରାଯାଇଛି। 
ଚଳଚ୍ଚିତ୍ର ସଂପୂର୍ଣ୍ଣ ଠିକ୍ ସେ ଅନୁଧ୍ୟାନ କଲେ ଏହା ଲକ୍ଷ୍ୟ କରାଯାଇପାରିବ ଯେ ଚଳଚ୍ଚିତ୍ର ମାଧ୍ୟମରେ ହିନ୍ଦୁ ସମ୍ପ୍ରଦାୟ ଉପରେ ହୋଇଥିବା ଅତ୍ୟାଚାର, ନିର୍ଯ୍ୟାତନା ର କାହାଣୀକୁ ଲିଭାଇ ଏକ ପ୍ରେମ କାହାଣୀ ଗଢିତୋଳିବା ପାଇଁ ଅପଚେଷ୍ଟା କରାଯାଇଛି। କାହାଣୀ ଆଡକୁ ଲକ୍ଷ୍ୟ କଲେ ଜଣାଯିବ ଶିବକୁମାର ଏଵଂ ଶାନ୍ତିଙ୍କ ପ୍ରେମ କାହାଣୀକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ। ଶିବକୁମାର ଜଣେ ଡ଼ାକ୍ତର ଏବଂ ଶାନ୍ତି ଜଣେ ନର୍ସ, ସେମାନଙ୍କ ପ୍ରେମ ସମ୍ପର୍କ, ବିବାହ ଆଉ ହଠାତ୍ କାଶ୍ମୀର ରେ ହୋଇଥିବା ହିନ୍ଦୁ ବିରୋଧୀ ହିଂସା ଯୋଗୁଁ ରାତାରାତି ବହୁତ୍ କିଛି ପରିବର୍ତ୍ତନ ହେବା ସହ ତାଙ୍କୁ କାଶ୍ମୀର ଉପତ୍ୟକାରେ ଥିବା ନିଜ ଘର ଛାଡ଼ି ଆସି ନିଜ ଦେଶରେ ଶରଣାର୍ଥୀ ହେବାର ପରିସ୍ଥିତି କୁ ନେଇ ସିନେମାର କାହାଣୀ ଗଠିତ। 
ଚଳଚ୍ଚିତ୍ରରେ ୧୯୯୦ ମସିହାରେ ହୋଇଥିବା ଏହି ହିଂସା ସମୟରେ ଘଟିଥିବା ଏହି ଘଟଣା ପଛରେ ଆମେରିକା ବିରୋଧୀ ଆତଙ୍କବାଦ ତଥା ଏଥିପାଇଁ ସଂପୂର୍ଣ୍ଣ ଭାବେ ଆମେରିକାକୁ ଦାୟୀ କରାଯାଇଛି। ଲତିଫ୍ ଭଳି ଚରିତ୍ର ମାଧ୍ୟମରେ ଲତିଫ୍ ଶିବକୁମାର୍ ର ବନ୍ଧୁତ୍ୱ ମାଧ୍ୟମରେ ହିନ୍ଦୁ ମୁସଲିମ ବନ୍ଧୁତ୍ୱ କୁ ଦର୍ଶାଇବା ସହ ଲତିଫ ର ପିତାଙ୍କ ଦ୍ଵାରା ଶିବକୁମାର୍ କୁ ସାହାଯ୍ୟ ଦେଖାଇବା ସହ ଏକ ଶାନ୍ତିପ୍ରିୟ ରଣଜୀ ଖେଳାଳି ହେବାର ସ୍ବପ୍ନ ଦେଖୁଥିବା  ଲତିଫ୍ କିପରି ତା ପିତାଙ୍କ ହତ୍ୟା ଏବଂ ଆରତୀ ସହ ତା ପ୍ରେମ ସମ୍ପର୍କକୁ ବିରୋଧ ଫଳରେ ପାକିସ୍ଥାନ ପ୍ରରୋଚିତ ଆତଙ୍କବାଦ ରେ ସାମିଲ୍ ହୋଇଛି ତାହା ଦେଖାଯାଇଛି। "ଶିକାରା: ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍ କାଶ୍ମୀର" ଭଳି ନାମକରଣ କରି ଚଳଚ୍ଚିତ୍ରରେ  କାଶ୍ମୀର ହିଂସା ତଥା ହିନ୍ଦୁ ବିରୋଧୀ ନିର୍ଯାତନା, ଉତ୍ପୀଡନ, ଅତ୍ୟାଚାର ଆଦି କୁ ନ ଦେଖାଇ ଏକ ପ୍ରେମ କାହାଣୀ ପ୍ରଦର୍ଶନ କରାଯାଇଛି। ହିଂସାତ୍ମକ ପରିସ୍ଥିତିରେ ଏକ ହିନ୍ଦୁ ବାଳକ ଦ୍ଵାରା "ମନ୍ଦିର ୱହିଁ ବନାୟେଙ୍ଗେ" ପରି ସ୍ଲୋଗାନ ଉଚ୍ଚାରଣ ପରି ଦୃଶ୍ୟ ମାଧ୍ୟମରେ ହିନ୍ଦୁ ମାନଙ୍କ ପ୍ରତି ଏକ ନକାରାତ୍ମକ ଭାବନା ସୃଷ୍ଟି କରାଯାଉଛି। 
ପ୍ରକୃତ ପକ୍ଷେ ବାସ୍ତବତା ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। କାଶ୍ମୀର ଉପତ୍ୟକାରେ ସଂଗଠିତ ହିଂସା ଆମେରିକା ବିରୋଧୀ ଆତଙ୍କବାଦ ନୁହେଁ ବରଂ ବିଭିନ୍ନ ବିଛିନ୍ନତାବାଦୀ ନେତାଙ୍କ ଦ୍ଵାରା ସୃଷ୍ଟ ହିଂସା ଯାହା ସଂପୂର୍ଣ୍ଣ ରୂପେ ବଦଳା ଦିଆଯାଇଛି। କାଶ୍ମୀର ଉପତ୍ୟକାରେ ମହିଳାମାନଙ୍କ ପ୍ରତି ଧର୍ଷଣ,ଲୁଟ୍ ତରାଜ ଆଦି ଘଟଣା କୁ ଅଣଦେଖା କରାଯାଇଛି। ଯେଉଁ "ମନ୍ଦିର ୱହିଁ ବନାୟେଙ୍ଗେ" ପରି ସ୍ଲୋଗାନ ଦ୍ଵାରା ହିନ୍ଦୁ ବିରୋଧୀ ନକାରାତ୍ମକତା ଦର୍ଶାଯାଇଛି ସେହି ହିନ୍ଦୁ ସମ୍ପ୍ରଦାୟର ଶହ ଶହ ମନ୍ଦିର ତଥା ଧର୍ମସ୍ଥଳୀ ଉପରେ ଆକ୍ରମଣ ତଥା ତାହାର ଧ୍ଵଂସ ଲୀଳା କୁ ବିଲକୁଲ୍ ଦର୍ଶାଯାଇନାହିଁ।
ଭ୍ରମାତ୍ମକ ତଥ୍ୟ ଉତ୍ଥାପନ ତଥା ହିନ୍ଦୁ ବିରୋଧୀ ମନୋଭାବ ବଲିଉଡ୍ ତଥା ହିନ୍ଦୀ ଚଳଚ୍ଚିତ୍ର ପାଇଁ ନୂଆ ନୁହେଁ। ପୂର୍ବରୁ ମଧ୍ୟ ବିଧୂ ବିନୋଦ ଚୋପ୍ରା "ପିକେ" ପରି ଚଳଚ୍ଚିତ୍ରରେ ହିନ୍ଦୁ ଧର୍ମ ପ୍ରତି ଆଙ୍ଗୁଳି ଉଠାଇବା ସହ "ସଞ୍ଜୁ" ପରି ଚଳଚ୍ଚିତ୍ର ମାଧ୍ୟମରେ ଭ୍ରମାତ୍ମକ ତଥ୍ୟ ଉତ୍ଥାପନ କରିସାରିଛନ୍ତି। ଶ୍ରୀନଗର ରେ ଜନ୍ମିତ ବିଧୂ ବିନୋଦ ଚୋପ୍ରା "ଶିକାରା" ମାଧ୍ୟମରେ ନିର୍ଦ୍ଦିଷ୍ଟ ସତ୍ୟକୁ ଲୋକଙ୍କ ମନରୁ ଲିଭାଇ ଏକ ଭ୍ରାନ୍ତଧାରା ଗଠନ କରିବାର ଯେଉଁ ଧୃଷ୍ଟତା କରିଛନ୍ତି ଲୋକ ତାର ଠିକ୍ ଜଵାବ୍ ଦେବେ।