ଲକ୍ ଡାଉନ୍ ଭାରତ ପାଇଁ ଫଳପ୍ରଦ କି?

କରୋନାର ଭୟାବହତା କୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ମାସ ୨୪ ତାରିଖରେ ସମ୍ପୂର୍ଣ୍ଣ ଭାରତରେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ପ୍ରଥମେ ୩ ସପ୍ତାହ ଅର୍ଥାତ୍ ଅପ୍ରେଲ ୧୪ ପର୍ଯ୍ୟନ୍ତ ଘୋଷଣା କରାଯାଇଥିବା ଏହି ଲକ୍ ଡାଉନ୍ କୁ ପୁଣି। ମଇ ୩ ପର୍ଯ୍ୟନ୍ତ ବଢ଼ାଇଦିଆଗଲା। ଲକ୍ ଡାଉନ୍ ଘୋଷଣା ସମୟରେ ଭାରତରେ ସଂକ୍ରମିତ ସଂଖ୍ୟା ୫୩୬ ଥିବା ସ୍ଥଳେ ମୃତ୍ୟୁ ସଂଖ୍ୟା ୧୦ ଥିଲା। ପ୍ରଥମତଃ ବିଶେଷଜ୍ଞ ଙ୍କ କହିବାନୁସାରେ ସଂକ୍ରମଣର ହାର କମ୍ ହେବା ପାଇଁ ଅତି କମ୍ ରେ ୩ ସପ୍ତାହର ସଂଗରୋଧ୍ ଆବଶ୍ୟକ ତେଣୁ ୩ ସପ୍ତାହ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା। ଅପ୍ରେଲ ୧୪ ମଧ୍ୟରେ ଆଶାନୁରୂପ ସଫଳତା ନ ମିଳିବା ତଥା ଭାରତ ପରି ରାଷ୍ଟ୍ରରେ ୪୯ ଦିନର ଲକ୍ ଡାଉନ୍ ଆବଶ୍ୟକତା କୁ ନେଇ କେମ୍ବ୍ରିଜ୍ ବିଶ୍ଵବିଦ୍ୟାଳୟର ଦୁଇ ବିଶେଷଜ୍ଞ ଙ୍କ ମାତା କୁ ଦୃଷ୍ଟିରେ ରଖି ଏହାକୁ ୪୦ ଦିନ ଅର୍ଥାତ୍ ମଇ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ସହ ଅପ୍ରେଲ ୧୮ ରୁ ସମ୍ପୂର୍ଣ୍ଣ ଦେଶରେ ଥିବା ଜିଲ୍ଲା ଗୁଡ଼ିକୁ ସଂକ୍ରମଣ ହାର ଅନୁସାରେ ବିଭିନ୍ନ ଜୋନ୍ ତଥା ୧୭୦ଟି ହଟସ୍ପଟ ଘୋଷଣା କରାଯାଇଛି। 
 ଲକ୍ ଡାଉନ୍ ତଥା ବିଭିନ୍ନ ପ୍ରକାର ଯାତାୟାତ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ସଂକ୍ରମଣର ହାର କମ୍ କରିବା ସହ ସଂକ୍ରମଣ କୁ ସୀମିତ ସ୍ଥାନ ମଧ୍ୟରେ ଆବଦ୍ଧ କରି ରଖେ, ଯାହାକି ଗୋଷ୍ଠୀ ସଂକ୍ରମଣ କୁ ରୋକିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଯଦି ଭାରତରେ ଏହାକୁ ଧ୍ୟାନ ନ ଦିଆଯାଇଥାଆନ୍ତା ତେବେ ଭାରତରେ ମଧ୍ୟ ଏ ଭିତରେ ଇଟାଲୀ, ଯୁକ୍ତରାଷ୍ଟ୍ର ଆମେରିକା ତଥା ସ୍ପେନ ପରି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା। 

ଭାରତରେ ଜନସଂଖ୍ୟା ଅନୁସାରେ ସଂକ୍ରମିତ ସଂଖ୍ୟା ବହୁତ୍ କମ୍ ଥିବାରୁ ବର୍ତ୍ତମାନ ଭାରତର ନମୁନା ଯାଞ୍ଚ ତଥା ଟେଷ୍ଟିଂ ପ୍ରକ୍ରିୟା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ICMR ଭାରତରେ ୮ ସପ୍ତାହ ପାଇଁ ଟେଷ୍ଟିଂ କିଟ୍ ଉପଲବ୍ଧ ଥିବା ନେଇ ଘୋଷଣା କରିଥିଲେ ହେଁ ବିଦେଶୀ ରାଷ୍ଟ୍ରର ଟେଷ୍ଟିଂ କିଟ୍ ଉପରେ ଆମର ନିର୍ଭରଶୀଳତା ମଧ୍ୟ ଟେଷ୍ଟିଂ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଲକ୍ ଡାଉନ୍ ଅବଧି ସମୟରେ ପୂର୍ବାପେକ୍ଷା ଟେଷ୍ଟିଂ ଯଥେଷ୍ଟ ବୃଦ୍ଧି ପାଇଛି। ପୂର୍ବରୁ କେବଳ ବିଦେଶ ଗସ୍ତ ସୂଚନା ତଥା ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କର ନମୁନା ଯାଞ୍ଚ ତଥା ଟେଷ୍ଟିଂ କରାଯାଉଥିବା ସ୍ଥଳେ ବର୍ତ୍ତମାନ ସାଧାରଣ ଥଣ୍ଡା କାଶ ଦେଖାଯାଉଥିବା ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି କରୋନା ସଂକ୍ରମଣକୁ ନେଇ ଘୋଷଣା କରାଯାଇଥିବା ହଟସ୍ପଟ୍ ରେ ରହୁଥିବା ସମସ୍ତ ବ୍ୟକ୍ତିଙ୍କର ନମୁନା ଯାଞ୍ଚ ବା ଟେଷ୍ଟିଂ କରାଯାଉଛି। ଗତ ସପ୍ତାହରେ ମଧ୍ୟ ନମୁନା ଯାଞ୍ଚ ତଥା ଟେଷ୍ଟିଂ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବା ସହ "ରାପିଡ୍ ଆଣ୍ଟିବଡି ଟେଷ୍ଟିଂ" ଏବଂ "ପୁଲ୍ ଟେଷ୍ଟିଂ" ପରି ପ୍ରକ୍ରିୟା କୁ ଆପଣାଯାଇଛି। ଏଯାବତ୍ ସମ୍ପୂର୍ଣ୍ଣ ଜନସଂଖ୍ୟାର ମାତ୍ର କିଛି ଭାଗକୁ ହିଁ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ପ୍ରକ୍ରିୟା ରେ ସବୁଠୁ ବଡ଼ ସମସ୍ୟା ହେଉଛନ୍ତି ଲକ୍ଷଣ ଦେଖାଉନଥିବା ସଂକ୍ରମିତ ବ୍ୟକ୍ତି,ଏମାନେ ଯାଞ୍ଚ ପ୍ରକ୍ରିୟାରେ ବାଦ୍ ପଡିଥାନ୍ତି କିନ୍ତୁ ଅନ୍ୟମାନଙ୍କୁ ବିଶେଷ ଭାବରେ ସଂକ୍ରମିତ କରିଥାନ୍ତି। 
ଏବେ ଆସିବା ଅନ୍ୟ ଏକ ଦିଗକୁ ଭାରତରେ ଲକ୍ ଡାଉନ୍ ଘୋଷଣା କରାଯାଇଥିଲେ ମଧ୍ୟ ଏହା କଡାକଡି ପାଳନ ହେଉନଥିବା ମଧ୍ୟ ଅଭିଯୋଗ ଆସିଛି। ଦେଶର ଦୁଇଟି ପ୍ରମୁଖ ସହର ମୁମ୍ବାଇ ଓ ଦିଲ୍ଲୀ ରେ ସଂକ୍ରମଣ ହାରରେ ବ୍ୟାପକ ବୃଦ୍ଧି ଏହା ସୂଚାଉଛି। ଲକ୍ ଡାଉନ୍ ଘୋଷଣା ହେବା ପରେ ଦେଶର ରାଜଧାନୀ ଦିଲ୍ଲୀରେ ଲକ୍ଷାଧିକ ଆନ୍ତଃରାଜ୍ୟ ଶ୍ରମିକ ଏକାଠି ହେବା ତଥା ନିଜ ରାଜ୍ୟମାନଙ୍କୁ ଫେରିବା, ତବଲିଗି ଜମାତ୍ ପରି ଧର୍ମସ୍ଥଳୀ ରେ ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହେବା ତଥା ମୁମ୍ବାଇ ର ବାନ୍ଦ୍ରା ଷ୍ଟେସନ୍ ରେ ଲୋକ ଏକାଠି ହେବା, ମହାରାଷ୍ଟ୍ରରେ ସଂଗଠିତ ଦଙ୍ଗା ଲକ୍ ଡାଉନ୍ ର ଖୋଲାଖୋଲି ଉଲ୍ଲଂଘନ ହେବାର ପ୍ରମାଣ ଦେଉଛି। ସେହିପରି ମଧ୍ୟପ୍ରଦେଶର ଇନ୍ଦୋର କଣ୍ଟେନମେଣ୍ଟ୍ ଅର୍ଥାତ୍ ଅବରୋଧ ଘୋଷଣା ହେବା ସତ୍ତ୍ୱେ ୮୫୦ ରୁ ଉର୍ଦ୍ଧ୍ବ ଲୋକ ସେଠାରେ ସଂକ୍ରମିତ ହୋଇ ସାରିଲେଣି। ସେହିପରି ମାଲବାହୀ ଯାନ ଗୁଡ଼ିକର ପରିବହନ ଉପରେ ପ୍ରତିବନ୍ଧକ ଲାଗିନଥିବାରୁ ଲୋକମାନେ ତା ମଧ୍ୟରେ ଲୁଚି ଯିବା ଆସିବା କରୁଛନ୍ତି। ଲକ୍ ଡାଉନ୍ ଘୋଷଣା ହେବା ସତ୍ତ୍ୱେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଗୁଣା ୩୦୦୦୦ରୁ ଉର୍ଦ୍ଧ୍ୱ ତଥା ମୃତ୍ୟୁ ସଂଖ୍ୟାରେ ୯୩ ଗୁଣା ୯୩୦ରୁ ଉର୍ଦ୍ଧ୍ୱ ଅଭିବୃଦ୍ଧି ହାର ଚିନ୍ତାଜନକ। 

ଏତେ ସବୁ ମଧ୍ୟରେ ଲକ୍ ଡାଉନ୍ ଫଳରେ କିଛି ଲାଭ ମଧ୍ୟ ମିଳିଛି। ଲକ୍ ଡାଉନ୍ ସମୟରେ ସଂକ୍ରମଣ ହାର ଦ୍ଵିଗୁଣିତ ହେବା ପାଇଁ ୪ଦିନ ପାଖାପାଖି ଲାଗୁଥିବା ସ୍ଥଳେ ଏବେ ତାହା ୭ ଦିନରୁ ଅଧିକ ଲାଗୁଛି। ଅପ୍ରେଲ ୬ ପରଠାରୁ ଦୈନିକ ସାଧାରଣତଃ ୨୫ ଟି ପାଖାପାଖି ମୃତ୍ୟୁ ଦେଖିବାକୁ ମିଳୁଛି, ଯାହାକି ସଂକ୍ରମଣର ୧-୨%। ଆରୋଗ୍ୟ ହାର ଅପ୍ରେଲ ୩ ସୁଦ୍ଧା ୭୦% ରୁ କମ ଥିବାବେଳେ ଅପ୍ରେଲ ୧୭ ରେ ଏହା ୮୦% ରୁ ଉର୍ଦ୍ଧ୍ୱ ରହିଛି। ଏତଦ୍ ବ୍ୟତୀତ ଓଡ଼ିଶା ଓ କେରଳ ପରି ରାଜ୍ୟ ସଂକ୍ରମଣ ହାର କୁ ନିୟନ୍ତ୍ରଣ କରିଛନ୍ତି। ତାମିଲନାଡୁ ର ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଠାରୁ ଅଧିକ ରହିଛି। ଗୋଆର ସମସ୍ତ ସଂକ୍ରମିତ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ। 

ଲକ୍ ଡାଉନ୍ ହଟିବାପରେ ବିଭିନ୍ନ ଆନ୍ତଃରାଜ୍ୟ ଶ୍ରମିକ, ଛାତ୍ର ଛାତ୍ରୀ ତଥା ଅନ୍ୟ କର୍ମଜୀବୀ ମାନେ ନିଜର ଘରକୁ ଫେରିବେ। ସେମାନଙ୍କୁ ଧ୍ୟାନରେ ରଖି ତଥା ଏଯାବତ୍ ଲକ୍ ଡାଉନ୍ ର ଉପଯୋଗୀତା କୁ ଦୃଷ୍ଟିରେ ରଖି ସରକାର ଆଗକୁ କଣ କାର୍ଯ୍ୟପନ୍ଥା ଘୋଷଣା କରୁଛନ୍ତି ,ଏହି ୪୦ ଦିନର ଲକ୍ ଡାଉନ୍ ଭାରତ ର କରୋନା ଯୁଦ୍ଧରେ ଫଳପ୍ରଦ ହୋଇଛି କି ନାହିଁ ତଥା ଟେଷ୍ଟିଂ ବୃଦ୍ଧି ପାଇଁ କଣ ପଦକ୍ଷେପ ନିଆଯାଇପାରିବ ତାହା ବର୍ତ୍ତମାନ ଚିନ୍ତାର ବିଷୟ।