ସଲାମ ବମ୍ବେ ରୁ ଅଙ୍ଗ୍ରେଜୀ ମିଡିୟମ୍ : ଇରଫାନ୍ ଖାନ୍


ଦୀର୍ଘ ୨ବର୍ଷ ଧରି ନ୍ୟୁରୋଇଣ୍ଡୋକ୍ରାଇନ ଟ୍ୟୁମର, କର୍କଟ ତଥା କୋଲୋନ୍ ସଂକ୍ରମଣ ପରି ରୋଗ ସହିତ ଲଢେଇ କରି ଶେଷରେ ୫୩ ବର୍ଷ ବୟସରେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଅଭିନେତା ଇରଫାନ୍ ଖାନ୍। ତାଙ୍କର ମୃତ୍ୟୁ କେବଳ ଭାରତ ପାଇଁ ନୁହେଁ ସାରା ବିଶ୍ୱର ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ସଲାମ୍ ବମ୍ବେ ଚଳଚ୍ଚିତ୍ର ର ଡ଼ାକବାଲା ଚରିତ୍ରରୁ ନେଇ ଅଂଗ୍ରେଜୀ ମିଡିୟମ ଚଳଚ୍ଚିତ୍ର ର ମୁଖ୍ୟ ବାପା ଚରିତ୍ର ପର୍ଯ୍ୟନ୍ତ ନିଜର ଅଭିନୟ ମାଧ୍ୟମରେ ଲୋକଙ୍କ ମନରେ ଏକ ଛାପ ଛାଡିଯାଇଛନ୍ତି ଇରଫାନ୍। 
୧୯୬୭ ଜାନୁୟାରୀ ୭ ତାରିଖରେ ରାଜସ୍ଥାନର ଜୟପୁର ନିକଟବର୍ତ୍ତୀ ଖଜୁରିୟା ଗ୍ରାମରେ ପିତା ୟାସିନ ଅଲ୍ଲୀ ଖାନ୍ ଓ ମାତା ସାୟେଦା ବେଗମ୍ ଙ୍କ କୋଳରେ ଜନ୍ମ ହୋଇଥିଲେ ଇରଫାନ୍। ଗୁଡି ଖେଳର ସହର ଜୟପୁର, ୭ ବର୍ଷ ବୟସରେ ଗୁଡି ଖେଳୁଥିବା ଅବସ୍ଥାରେ ଛାତରୁ ଖସି ଦୁର୍ଘଟଣାର ଶିକାର ହୋଇଥିଲେ ଇରଫାନ୍। ଏହା ତାଙ୍କ ଶରୀରରେ ଏପରି ବିକୃତି ଆଣିଥିଲା ଯାହା ପାଇଁ ତାଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ଏଥିରୁ ସମ୍ପୂର୍ଣ୍ଣ ସୁସ୍ଥ ହେବାପାଇଁ ତାଙ୍କୁ ୩ବର୍ଷ ରୁ ଅଧିକ ସମୟ ଲାଗିଥିଲା ବୋଲି ସେ ଏକ ସାକ୍ଷାତକାର ରେ କହିଥିଲେ। 
ଏହାଛଡ଼ା ସେ ସି କେ ନାଇଡୁ ୨୩ ବର୍ଷରୁ କମ୍ କ୍ରିକେଟ୍ ରେ ଚୟନ ହୋଇଥିଲେ ବି ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ସେ କ୍ରିକେଟ୍ ରେ ଆଗକୁ ଯାଇପାରିନଥିଲେ। 
ଦିଲ୍ଲୀପ କୁମାର ଙ୍କୁ ଦେଖି ଅଭିନେତା ହେବାକୁ ଚାହୁଁଥିଲେ ଇରଫାନ୍। ସ୍ନାତକ ସମାପ୍ତ କରିବା ପରେ ଘରଦ୍ୱାର ଛାଡ଼ି ଦିଲ୍ଲୀ ଯିବା ପାଇଁ ପ୍ରସ୍ତୁତ ହୋଇସାରିଥିଲେ। ସେହି ସମୟରେ ତାଙ୍କ ପିତାଙ୍କ ନିଧନ ଓ ସେ ଘରର ବଡ଼ପୁଅ ହୋଇଥିବାରୁ ପରିବାର ପ୍ରତିପୋଷଣ ତଥା ପିତାଙ୍କ ବ୍ୟବସାୟ ଭାର ତାଙ୍କ ଉପରେ ପଡ଼ିଲା। ଏହି ସମୟରେ ତାଙ୍କ ସାନଭାଇ ସବୁ ସମ୍ଭାଳି ନେବାକୁ କହି ତାଙ୍କୁ ଦିଲ୍ଲୀ ପଠାଇଥିଲେ। ସେ ତାଙ୍କ ମାଙ୍କୁ ପ୍ରଶିକ୍ଷଣ ପାଇଁ ଯାଉଛନ୍ତି ବୋଲି କହି ଦିଲ୍ଲୀ ଆସିଥିଲେ। 
ଦିଲ୍ଲୀ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ରେ ୧୯୮୬ ରେ ଡିପ୍ଲୋମା ପାଇଁ ଭର୍ତ୍ତି ହୋଇଥିଲେ ଇରଫାନ୍। ଏଠାରେ ତାଙ୍କର ବନ୍ଧୁତା ସୂତପା ସିକଦର୍ ଓ ତିଗମାଂଶୁ ଧୁଲିଆ ଙ୍କ ସହ ହୋଇଥିଲା। ସେ ୧୯୯୫ ରେ ସୁତପା ସିକଦର୍ ଙ୍କୁ ବିବାହ କରିଥିଲେ। ସେ ନିଜର ଫାଙ୍କା ସମୟରେ ନଷ୍ଟ ନ କରି ବହି ପଢ଼ାପଢ଼ି ରେ ସମୟ ବ୍ୟକ୍ତ କରୁଥିଲେ। ୧୯୮୮ ମସିହା ବେଳକୁ NSD ରେ ହେଉଥିବା ବିଭିନ୍ନ ଥିଏଟର ମାଧ୍ୟମରେ ସେ ନିଜ ଅଭିନୟ ର ଯାଦୁ ଦେଖାଇ ସାରିଥିଲେ। 
୧୯୮୮ ମସିହାରେ ନିର୍ଦ୍ଦେଶିକା ମୀରା ନାୟାର ତାଙ୍କର ସଲାମ ବମ୍ବେ ଚଳଚ୍ଚିତ୍ର ପାଇଁ ଏକ କଳାକାର ଚୟନ ପାଇଁ NSD ଯାଇଥିଲେ ଓ ଇରଫାନ୍ ଙ୍କୁ ଚୟନ କରିଥିଲେ। ୨ ମାସ ରଘୁବୀର୍ ଯାଦବ ଙ୍କ ସହ ୱର୍କସପ୍ ରେ କାମ କଲାପରେ ସେ ଉକ୍ତ ଚରିତ୍ର ପାଇଁ ଠିକ୍ ନୁହନ୍ତି କହି ତାଙ୍କୁ ଛୋଟ ଡ଼ାକବାଲା ଚରିତ୍ର ଦିଆଗଲା ଓ ଆଗାମୀ ଚଳଚ୍ଚିତ୍ରରେ ଭଲ ଚରିତ୍ର ଦିଆଯିବ ବୋଲି କୁହାଗଲା। ଏହି ଘଟଣାରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ ଇରଫାନ୍ କିନ୍ତୁ ଏହି ଘଟଣା ତାଙ୍କୁ ସବୁ ପ୍ରକାର ପରିସ୍ଥିତିକୁ ସାମନା କରିବାକୁ ସାହାସ ଯୋଗାଇଥିଲା ବୋଲି ଅସୀମ ଛାବରା ଇରଫାନ୍ ଙ୍କ ଜୀବନୀରେ ଉଲ୍ଲେଖ କରିଛନ୍ତି। 
ଏହାପରେ ପ୍ରଯୋଜକ ଗୋବିନ୍ଦ ନିହଲାନୀଙ୍କ କଥାରେ ମୁମ୍ବାଇ ଚାଲିଆସିଥିଲେ ଇରଫାନ୍। ସେଠାରେ ବିଭିନ୍ନ ଚଳଚ୍ଚିତ୍ର ପାଇଁ ଅଡ଼ିସନ୍ ଦେଇ ପ୍ରତ୍ୟାଖ୍ୟାନ ହେବାପରେ ସେ ଧାରାବାହିକ ରେ ଅଭିନୟ କରିବାକୁ ଲାଗିଲେ। ସେତେବେଳେ ହିନ୍ଦୀ ସିନେ ଜଗତର ସ୍ଥିତି ଏପରି ଥିଲା ଯେ ଚିହ୍ନାଜଣା ନଥିଲେ କିମ୍ବା ଦେଖିବାକୁ ସୁନ୍ଦର ନଥିଲେ କାମ ମିଳୁନଥିଲା। ଚାଣକ୍ୟ, ଚନ୍ଦ୍ରକାନ୍ତ, ଭାରତ ଏକ ଖୋଜ୍, ଡର, ବାତେଁ ଅପନୋ କି ପରି ଧାରାବାହିକ ରେ ଅଭିନୟ କରିବା ସହିତ ବିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ୨୦୦୧ ମସିହାରେ ଲଣ୍ଡନ୍ ର ନିର୍ଦ୍ଦେଶକ ଆସିଫ୍ କପାଡିଆ ଇରଫାନ୍ ଙ୍କୁ ସୁଯୋଗ ଦେଲେ ତାଙ୍କର ଚଳଚ୍ଚିତ୍ର "ଦି ୱାରିଅର୍" ରେ, ଏହାପରେ ଗୁନାହ୍, ଢୁଣ୍ଡ, ଫୁଟ୍ ପାଥ୍ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ଯେବେ ତାଙ୍କୁ ମନପସନ୍ଦର ଚରିତ୍ର ନ ମିଳିଲା ସେତେବେଳେ ଘରକୁ ଫେରିଯିବାକୁ ପ୍ରସ୍ତୁତ ହେଉଥିଲେ ଇରଫାନ୍। ଏହି ସମୟରେ ତାଙ୍କ ବନ୍ଧୁ ତିଗମାଂଶୁ ଧୁଲିଆ ତାଙ୍କ ଚଳଚ୍ଚିତ୍ର ହାସିଲ୍ ରେ ତାଙ୍କୁ ଖଳନାୟକ ଭୂମିକାରେ ଅଭିନୟ କରିବାକୁ କହିଥିଲେ। ଏହି ଚଳଚ୍ଚିତ୍ର ପାଇଁ ଇରଫାନ୍ ୨୦୦୪ ରେ ଫିଲ୍ମ୍ ଫେୟାର ଶ୍ରେଷ୍ଠ ଖଳନାୟକ ପୁରସ୍କାର ପାଇଥିଲେ। ଏହାପରେ ଆଉ ସେ ପଛକୁ ଫେରିନଥିଲେ। 
ଏହାପରେ ବିଶାଲ ଭରଦ୍ୱାଜ ଙ୍କ ମକବୁଲ୍ , ଇମ୍ରାନ୍ ହାସମୀ ଙ୍କ ସହ ଦି କିଲାର୍, ବିବେକ ଅଗ୍ନିହୋତ୍ରୀଙ୍କ ଚକୋଲେଟ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୨୦୦୬ ରେ ମୀରା ନାୟାର ନିର୍ଦ୍ଦେଶିତ ଦି ନେମ୍ ସେକ୍ ତାଙ୍କୁ ଅନ୍ତର୍ଜାତୀୟ ଖ୍ୟାତି ଆଣିଦେଇଥିଲା। ଏହାପରେ ୨୦୦୭ ରେ ଲାଇଫ ଇନ୍ ଏ ମେଟ୍ରୋ ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ପୁରସ୍କାର ମିଳିଥିଲା। ୨୦୧୧ ମସିହାରେ ତାଙ୍କ ବନ୍ଧୁ ତିଗମାଂଶୁ ଧୁଲିଆ ନିର୍ଦ୍ଦେଶିତ ଚଳଚ୍ଚିତ୍ର ପାନ୍ ସିଂହ ତୋମାର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୨୦୧୧ ମସିହାରେ ଭାରତ ସରକାର ଙ୍କ ତରଫରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ୨୦୦୮ ରେ ଓସ୍କାର ତଥା ଏକାଡେମୀ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସ୍ଲମ୍ ଦଗ୍ ମିଲେନିୟର ରେ ଇରଫାନ୍ ପୋଲିସ୍ ଭୂମିକା କରିଥିଲେ। ୨୦୧୩ ରେ ବାଫଟା ପୁରସ୍କାର ପାଇଁ ମନୋନୀତ ଦି ଲଞ୍ଚବକ୍ସ ତଥା ଲାଇଫ ଅଫ୍ ପାଇ , ଦି ଆମାଜିଙ୍ଗ ସ୍ପାଇଡର ମ୍ୟାନ, ଏ ମାଇଟି ହାର୍ଟ, ଦି ଦାର୍ଜିଲିଂ ଓ ୨୦୧୫ ରେ ଜୁରାସିକ୍ ୱାର୍ଲ୍ଡ ପରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ରେ ଅଭିନୟ କରିବା ସହ ୨୦୧୭ ରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଆସିଥିବା ଚଳଚ୍ଚିତ୍ର ହିନ୍ଦୀ ମିଡିୟମ୍ ତଥା ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ଶେଷ ଅଭିନୀତ ଚଳଚ୍ଚିତ୍ର ଥିଲା ଅଙ୍ଗ୍ରେଜୀ ମିଡିୟମ୍। ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲେ ହେଁ କରୋନା ମହାମାରୀ ଜନିତ ଲକ୍ ଡାଉନ୍ କାରଣରୁ ପୁନଶ୍ଚ OTT ରେ ରିଲିଜ୍ କରାଯାଇଛି। 
ଆଜି ଇରଫାନ୍ ଖାନ୍ ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ଅଭିନୀତ ଚଳଚ୍ଚିତ୍ର ମାଧ୍ୟମରେ ଆଜି ବି ସେ ଆମମାନଙ୍କ ମଧ୍ୟରେ ଜୀବିତ।