ଭାରତକୁ ପଙ୍ଗପାଳ ଚିନ୍ତା,ଓଡ଼ିଶା ଚେତିବ କେବେ?


କରୋନା ମହାମାରୀର ଏକ ବିପଦଜନକ ପରିସ୍ଥିତି ଦେଇ ଗତି କରୁଥିବା ସମୟରେ ବର୍ତ୍ତମାନ ଭାରତ ପାଇଁ ଚିନ୍ତାର କାରଣ ସାଜିଛି ପଙ୍ଗପାଳ। ଏହି ପଙ୍ଗପାଳ ଆକ୍ରମଣ ସମ୍ବନ୍ଧରେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ FAO ପୂର୍ବରୁ ଫେବୃୟାରୀ ମାସରୁ ଜୁନରେ ପଙ୍ଗପାଳ ଆକ୍ରମଣ ନେଇ ଭାରତକୁ ସୂଚନା ଦେଇସାରିଥିଲେ ମଧ୍ୟ କରୋନା ମହାମାରୀ ଏବଂ ପଙ୍ଗପାଳ ଆକ୍ରମଣ ସମୟର ପୂର୍ବରୁ ହେବାରୁ ସମ୍ପ୍ରତି ଏହା ବିରାଟ ସମସ୍ୟା ଭାବେ ଉଭାହୋଇଛି। 
ବର୍ତ୍ତମାନ ଭାରତରେ ଦେଖାଯାଉଥିବା ପଙ୍ଗପାଳ ଆଫ୍ରିକୀୟ ଉପତ୍ୟକାରୁ ଆସିଥିବା ଆକଳନ କରାଯାଉଛି। ଏହା ପୃଥିବୀରେ ଦେଖାଯାଉଥିବା ୪ପ୍ରକାର ପଙ୍ଗପାଳଙ୍କ ମଧ୍ୟରୁ ସବୁଠାରୁ ଅଧିକ କ୍ଷତି କରୁଥିବା ପଙ୍ଗପାଳ ହେଉଛି Desert locust ବା ମରୁଜାତୀୟ ପଙ୍ଗପାଳ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାରତ ମହାସାଗରରେ ବାରମ୍ବାର ବାତ୍ୟା ସୃଷ୍ଟି ହେଉଛି। ଉତ୍ତମ ବୃଷ୍ଟିପାତ ପଙ୍ଗପାଳମାନଙ୍କ ବଂଶବୃଦ୍ଧିର କାରଣ ହୋଇଥାଏ ତେଣୁ ମଇ ୨୦୧୮ରେ ଓମାନ୍, ସାଉଦି ଆରବ, ୟେମେନ ଉପକୂଳରେ ବାତ୍ୟା ମେକାନୁ ତଥା ଅକ୍ଟୋବର ୨୦୧୮ରେ ସୃଷ୍ଟ ବାତ୍ୟା ଲୁବାନ୍ ଫଳରେ ହୋଇଥିବା ବୃଷ୍ଟିପାତ ଏମାନଙ୍କ ବଂଶବୃଦ୍ଧିରେ ସହାୟକ ହୋଇଥିଲା। ଏମାନେ କେନିୟା, ସୋମାଲିଆ, ଇଥିଓପିଆ, ଦକ୍ଷିଣ ଇରାନ ଓ ପାକିସ୍ଥାନକୁ ଅତିକ୍ରମ କରି ବର୍ତ୍ତମାନ ଭାରତମୁହାଁ ହୋଇଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତ ଏହା ଚିନ୍ତା କରିବା ଆବଶ୍ୟକ ଯେ କିପରି ଏହି ପଙ୍ଗପାଳ ଗୁଡ଼ିକର ବଂଶବୃଦ୍ଧି ରୋକାଯାଇପାରିବ। ଭାରତକୁ ଅନ୍ୟ ରାଷ୍ଟ୍ରମାନଙ୍କ ସହ ମିଶି ଗ୍ଲୋବାଲ ୱାର୍ମିଙ୍ଗ ତଥା ଜଳବାୟୁ ପରିବର୍ତ୍ତନ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଗତବର୍ଷ ଜୁନ୍ ୨୦୧୯ ରେ ମଧ୍ୟ ଭାରତର ଥର୍ ମରୁଭୂମିରେ ଅଦିନିଆ ବୃଷ୍ଟିପାତ କାରଣରୁ ମଧ୍ୟ ପଙ୍ଗପାଳ ସୃଷ୍ଟି ହୋଇଥିଲେ ଅବଶ୍ୟ ଉତ୍ତମ ପାରିପାର୍ଶ୍ବିକ ପରିସ୍ଥିତି ର ଅଭାବ ସେମାନଙ୍କର ବାଧା ସୃଷ୍ଟି କରିଥିଲା କିନ୍ତୁ ଏବେଠୁ ସେ ସବୁ ଦିଗକୁ ଧ୍ୟାନ ନ ଦେଲେ ଭାରତ ମଧ୍ୟ କେନିୟା, ଇଥିଓପିଆ ଏବଂ ସୋମାଲିଆ ପରି ଖାଦ୍ୟାଭାବ ସମସ୍ୟାର ସମ୍ମୁଖୀନ ହୋଇପାରେ। 
ମୌସୁମୀ ଆସିବା ପରେ ଜୁଲାଇ ରୁ ଅକ୍ଟୋବର ମଧ୍ୟରେ ପ୍ରତ୍ୟେକ ବର୍ଷ ଭାରତ ପାକିସ୍ଥାନ ସୀମାନ୍ତ ଅଞ୍ଚଳରେ ପଙ୍ଗପାଳ ଦେଖାଯାଆନ୍ତି କିନ୍ତୁ ଏହା ଏତେ ବଡ଼ ଧରଣର ହୋଇନଥାଏ। ୨୦୧୯ରେ ସୀମାନ୍ତରେ ପଙ୍ଗପାଳ ଆକ୍ରମଣ ସମୟରେ ଉଭୟ ଦେଶ ମିଳିତ ଭାବେ କୃଷକମାନଙ୍କ ସ୍ୱାର୍ଥରେ ଏହାକୁ ପ୍ରତିହତ କରିଥିଲେ। ପ୍ରତିବର୍ଷ ପଙ୍ଗପାଳ ଆକ୍ରମଣ କେବଳ ସୀମାନ୍ତରେ ସଂଘଟିତ ହେଉଥିବାବେଳେ ଏ ବର୍ଷ ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରବେଶ କରିସାରିଲେଣି। ୧୯୬୨ ମସିବାପରେ ଭାରତ ଏତେ ବଡ଼ ପଙ୍ଗପାଳ ଆକ୍ରମଣର ସମ୍ମୁଖୀନ ହେବାକୁ ଯାଉଛି। 
ଗତ କିଛିଦିନ ମଧ୍ୟରେ ରାଜସ୍ଥାନ,ଗୁଜରାଟ, ପଞ୍ଜାବ ତଥା ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର କିଛି ଅଂଶ ପର୍ଯ୍ୟନ୍ତ ମାଡ଼ି ଆସିଲେଣି ପଙ୍ଗପାଳ। ମଧ୍ୟପ୍ରଦେଶ ସହିତ ଓଡ଼ିଶାର ପଶ୍ଚିମାଞ୍ଚଳ ସୀମା ସଂଲଗ୍ନ ହୋଇରହିଥିବାରୁ ପଙ୍ଗପାଳଗୁଡ଼ିକ ଯେ କୌଣସି ମୁହୂର୍ତ୍ତରେ ମଧ୍ୟ ଓଡ଼ିଶାକୁ ପ୍ରବେଶ କରିପାରନ୍ତି। ଏଣୁ ଓଡ଼ିଶାରେ ଏପରି ହେବାର ନଜିର୍ ନାହିଁ, ପଙ୍ଗପାଳ ଆକ୍ରମଣର ଆଶଙ୍କା କମ୍ ପରି ବିବୃତି ଦେବା ବନ୍ଦ କରି ସରକାରଙ୍କୁ କୃଷକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିହିତ ପଦକ୍ଷେପ ନେବା ଆବଶ୍ୟକ। ଯେହେତୁ ବିଭିନ୍ନ ମନ୍ତ୍ରାଳୟ ତଥା ବିଶ୍ୱବିଦ୍ୟାଳୟ ଗୁଡ଼ିକ କେବଳ ମାର୍ଗଦର୍ଶିକା ଜାରି କରି ବସି ନ ରହି ଲୋକମାନଙ୍କୁ ଏ ଦିଗରେ ସଚେତନ କରାଇବା ଆବଶ୍ୟକ। 
ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ନିର୍ଦ୍ଦେଶକ ତ୍ରିଲୋଚନ ମହାପାତ୍ରଙ୍କ ବିବୃତି ଅନୁସାରେ ଭାରତରେ ଏପର୍ଯ୍ୟନ୍ତ ୪୦,୦୦୦ ରୁ ୪୨,୦୦୦ ହେକ୍ଟର କୃଷିଜମି ତଥା ମହାରାଷ୍ଟ୍ରର ନାଗପୁରରେ କମଳା ଚାଷ କିଛିମାତ୍ରାରେ ପଙ୍ଗପାଳ ଦ୍ଵାରା ପ୍ରଭାବିତ। ପଙ୍ଗପାଳ ଆକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ରୀୟ କୃଷି ମନ୍ତ୍ରଣାଳୟ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି। LWO (Locust warning organization) ଗଠନ କରି ଏହା ସାହାଯ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଯୁକ୍ତରାଜ୍ୟ(UK) ଠାରୁ ୬୦ଟି ଆତ୍ୟାଧୁନିକ ସ୍ପ୍ରେୟର ଅଣାଯାଇଛି। ୯୦ରୁ ଅଧିକ ଦମକଳ ବାହିନୀ ଗାଡ଼ିକୁ କୀଟନାଶକ ସିଞ୍ଚନ ପାଇଁ ବ୍ୟବହାର କରାଯାଉଛି। ଏହାଛଡ଼ା ୪୭ଟି କଣ୍ଟ୍ରୋଲ ଯାନ ତଥା ୮୦୦ରୁ ଉର୍ଦ୍ଧ୍ୱ ଟ୍ରାକ୍ଟର ଦ୍ଵାରା ଅତ୍ୟାଧୁନିକ କୌଶଳ ବ୍ୟବହାର କରି ପଙ୍ଗପାଳ ନିୟନ୍ତ୍ରଣ କରାଯାଉଛି। ସରକାରୀ ସ୍ତରରେ ନିଆଯାଉଥିବା ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ କିନ୍ତୁ ପଙ୍ଗପାଳମାନଙ୍କୁ ନିୟନ୍ତ୍ରଣ କରିବା ଅପେକ୍ଷା ତାଙ୍କର ବଂଶବୃଦ୍ଧି ନିୟନ୍ତ୍ରଣ ଅଧିକ ଆବଶ୍ୟକ। ବର୍ତ୍ତମାନ ରବି ଫସଲ ସବୁ ଅମଳ ସରିଥିବାରୁ ଏହା ବିଶେଷ କିଛି କ୍ଷତି ଘଟାଇବନି ବୋଲି ଆଶା କରାଯାଉଥିଲେ ମଧ୍ୟ ଏହାକୁ ଏବେଠାରୁ ନିୟନ୍ତ୍ରଣ ନ କଲେ ଆଗକୁ ଆସୁଥିବା ମୌସୁମୀ ପଙ୍ଗପାଳ ବଂଶବୃଦ୍ଧିରେ ସହାୟକ ହେବ ତଥା ଖରିଫ୍ ଫସଲ ଗୁଡ଼ିକୁ ପ୍ରଭାବିତ କରିବ।