ଶିକ୍ଷାକ୍ଷେତ୍ରରେ ସ୍ନାତକୋତ୍ତର ମାଷ୍ଟର ଅଫ୍ ଆର୍ଟ (ଏମ୍ ଏ ଏଜୁକେସନ ) ଏବଂ ମାଷ୍ଟର ଅଫ୍ ଏଜୁକେସନ (ଏମ୍ ଏଡ୍) ଉଭୟକୁ ନେଇ ସୃଷ୍ଟି ହେଉଥିବା ବିବାଦ ଶିକ୍ଷା ଏବଂ ନିଯୁକ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଉଛି । ଏମ୍ ଏ ଏଜୁକେସନ ଏବଂ ଏମ୍.ଏଡ୍ ଦୁଇଟି ସ୍ନାତକୋତ୍ତର ଡିଗ୍ରୀ ଯାହା ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବାକୁ ଲକ୍ଷ୍ୟ କରେ, ଯଦିଓ ସେମାନଙ୍କର ଧ୍ୟାନ ଭିନ୍ନ । ଏମ୍ ଏ ଶିକ୍ଷାର ତାତ୍ତ୍ୱିକ ଦିଗ ବା ବିଷୟବସ୍ତୁଗୁଡିକୁ ଗୁରୁତ୍ୱ ଦେଇଥାଏ, ଯେଉଁଥିରେ ଶିକ୍ଷାନୀତି, ଦର୍ଶନ, ଏବଂ ଗବେଷଣା ଅନ୍ତର୍ଗତ, ଯାହା ସ୍ନାତକମାନଙ୍କୁ ଅଧ୍ୟାପନା, ପ୍ରଶାସନ, ଏବଂ ନୀତି ନିର୍ମାଣରେ ବିଭିନ୍ନ ଭୂମିକା ପାଇଁ ପ୍ରସ୍ତୁତ କରେ । ଅନ୍ୟପକ୍ଷରେ, ଏମ୍.ଏଡ୍ ହେଉଛି ଏକ ବୃତ୍ତିଗତ ଡିଗ୍ରୀ ଯାହା ଏମ୍ ଏ ଏଜୁକେସନର ସମସ୍ତ ବିଷୟ ସହିତ ଅଧ୍ୟାପନା, ପାଠ୍ୟକ୍ରମ ଡିଜାଇନ୍, ଏବଂ ଶିକ୍ଷାଦାନ ରଣନୀତି ଉପରେ ଧ୍ୟାନ ଦେଇଥାଏ, ଯାହା ଶିକ୍ଷାଦାନ ଏବଂ ବିଦ୍ୟାଳୟ ନେତୃତ୍ୱ ଭୂମିକା ଗ୍ରହଣ କରୁଥିବା ଲୋକଙ୍କ ପାଇଁ ଅତ୍ୟାବଶ୍ୟକ । ଏହି ପାର୍ଥକ୍ୟ ସତ୍ତ୍ୱେ, ଉଭୟ ଡିଗ୍ରୀ ଅନେକ ସମାନ ଉଦ୍ଦେଶ୍ୟ ପାଇଁ ପ୍ରସ୍ତୁତ କରାଯାଇଛି । ଯେପରିକି ଶିକ୍ଷାଗତ ବ୍ୟବସ୍ଥାରେ ସୁଧାର ଆଣିବା, ଗବେଷଣାକୁ ପ୍ରୋତ୍ସାହିତ କରିବା ଏବଂ ଦକ୍ଷ ଶିକ୍ଷକଶିକ୍ଷୟିତ୍ରୀ ବିକାଶ । ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନସିଟିଇ) ଭଳି ଜାତୀୟ ସଂସ୍ଥାମାନେ ଶିକ୍ଷାଦାନ ସମ୍ବନ୍ଧୀୟ ଭୂମିକା ପାଇଁ ସେମାନଙ୍କ ସମାନତାକୁ ଲକ୍ଷ୍ୟ ରଖି ଉଭୟ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ଶୈକ୍ଷିକ ଏବଂ ବୃତ୍ତିଗତ ଅଭିବୃଦ୍ଧି ପାଇଁ ଆବଶ୍ୟକ ଦକ୍ଷତା ସହିତ ପ୍ରାର୍ଥୀମାନଙ୍କୁ ପ୍ରସ୍ତୁତ କରିଥାଏ ।



ଓଡ଼ିଶାରେ ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଶିକ୍ଷାରେ ସହକାରୀ ପ୍ରଫେସର ନିଯୁକ୍ତି ପାଇଁ ଏମ୍ ଏଡ୍ ଡ଼ିଗ୍ରୀଧାରୀଙ୍କୁ ବାଦ୍ ଦେଇଥିଲା ଏବଂ କେବଳ ଶିକ୍ଷାରେ ଏମ୍ ଏ କରିଥିବା ପ୍ରାର୍ଥୀଙ୍କୁ ସୁଯୋଗ ଦେଇଥିଲା । ଏହି ନିଷ୍ପତ୍ତି ଏମ୍ ଏଡ୍ ଡ଼ିଗ୍ରୀଧାରୀଙ୍କ ବୃତ୍ତିଗତ ଦକ୍ଷତାକୁ ଅଣଦେଖା କରି ସାରା ରାଜ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଥିଲା। ସେ ସମୟରେ ଅନେକ ଶିକ୍ଷାବିତମାନେ ଯୁକ୍ତି ବାଢ଼ିଥିଲେ ଯେ ଏହି ନିଷ୍ପତ୍ତିରେ ସ୍ପଷ୍ଟତାର ଅଭାବ ରହିଛି ଏବଂ ଏହା ଜାତୀୟ ମାନଦଣ୍ଡକୁ ବିରୋଧ କରୁଛି । ଶିକ୍ଷାଦାନ ପଦ୍ଧତି ଏବଂ ଶିକ୍ଷାଗତ ନେତୃତ୍ୱରେ ବିଶେଷତା ଥିବା ଏମ୍ ଏଡ୍ ଡିଗ୍ରୀଧାରୀମାନଙ୍କୁ ଏହି ନିଯୁକ୍ତି ପାଇଁ ଅଯୋଗ୍ୟ ବୋଲି ବିବେଚନା କରାଗଲା, ଯାହା ସେମାନଙ୍କ କ୍ୟାରିୟର ଅଭିବୃଦ୍ଧିକୁ ସୀମିତ କରିବା ସହ ବୃତ୍ତିଗତ ଅବଦାନକୁ ହ୍ରାସ କରିଥିଲା । ଏଭଳି ନିଷ୍ପତ୍ତି କେବଳ ଏମ୍ ଏଡ୍ ଡ଼ିଗ୍ରୀଧାରୀଙ୍କ ଯୋଗ୍ୟତାକୁ ଅଣଦେଖା କରିନଥିଲା ବରଂ ଜାତୀୟ ଶିକ୍ଷା ନୀତି ଦ୍ୱାରା ପ୍ରୋତ୍ସାହିତ ସାମଗ୍ରିକ, ଯୋଗ୍ୟତା ଭିତ୍ତିକ ଆଭିମୁଖ୍ୟରୁ ବିଚ୍ୟୁତ ହୋଇଥିଲା ।


ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏମ୍ ଏଡ୍‌କୁ ଶିକ୍ଷା କ୍ଷେତ୍ରରେ ଏକ ସ୍ନାତକୋତ୍ତର ପାଠ୍ୟକ୍ରମ ବୋଲି ମାନ୍ୟତା ପ୍ରଦାନ କରିଥିବାବେଳେ ଏନସିଟିଇ ବୃତ୍ତିଗତ କ୍ଷେତ୍ରରେ ସହକାରୀ ପ୍ରଫେସର ପଦ ପାଇଁ ଏମ୍ ଏ ଏଜୁକେସନ ଏବଂ ଏମ୍ ଏଡ୍ ର ସମାନତାକୁ ସ୍ୱୀକୃତି ଦିଅନ୍ତି । ଭାରତରେ ଶିକ୍ଷକ ଶିକ୍ଷା ଯୋଗ୍ୟତାକୁ ମାନକ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଏନ୍ ସି ଟି ଇ ଗାଇଡଲାଇନ୍ ଅନୁଯାୟୀ, ଉଚ୍ଚ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ଏବଂ ଶୈକ୍ଷିକ ପଦବୀ ପାଇଁ ଏମ୍ ଏଡ୍ ଓ ଏମ୍ ଏ ଏଜୁକେସନ ଉଭୟ ଡିଗ୍ରୀଧାରୀ ଯୋଗ୍ୟ । ୟୁଜିସି ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା ଜାତୀୟ ମାନଦଣ୍ଡ ସହିତ ସମନ୍ୱିତ ହେବା ଉଚିତ, ଯାହା ନିରପେକ୍ଷତା ଏବଂ ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବ । ଓପିଏସସି ଦ୍ୱାରା ଏମ୍ ଏଡ୍. ଡ଼ିଗ୍ରୀଧାରୀଙ୍କୁ ବାଦ୍ ଦିଆଯିବା ଏହି ନିୟମର ବିରୁଦ୍ଧାଚରଣ କରୁଥିବାରୁ, ଆଶାୟୀ ପ୍ରାର୍ଥୀମାନେ ଏହି ଭୁଲ୍ ନିଷ୍ପତ୍ତିର ସମାଧାନ ପାଇଁ ଆଇନଗତ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ ।


ଓପିଏସସି ନିଷ୍ପତ୍ତିର ଜବାବରେ ପ୍ରଭାବିତ ଏମ୍ ଏଡ୍ ଡ଼ିଗ୍ରୀଧାରୀମାନେ ଓଡ଼ିଶା ହାଇକୋର୍ଟରେ ଏକ ରିଟ୍ ପିଟିସନ୍ (କେସ୍ ନଂ. ଡବ୍ଲ୍ୟୁପି(ସି)/୧୩୬୬୧/୨୦୨୪) ସେମାନଙ୍କୁ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍ ଦିଆଯିବାକୁ ନେଇ ଚ୍ୟାଲେଞ୍ଜ କରିଥିଲେ । ଏହି ପିଟିସନରେ ଏନସିଟିଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସମାନତା ଉପରେ ଆଲୋକପାତ କରାଯାଇଥିଲା ଏବଂ ଯୁକ୍ତି କରାଯାଇଥିଲା ଯେ ଓପିଏସସିର ମାନଦଣ୍ଡ ଭେଦଭାବପୂର୍ଣ୍ଣ ଏବଂ ନିରପେକ୍ଷତା ନୀତିର ଉଲ୍ଲଂଘନ କରୁଛି । ଆବେଦନକାରୀମାନେ ଯୁକ୍ତି ବାଢ଼ିଥିଲେ ଯେ ଶିକ୍ଷାଦାନ ଏବଂ ଶିକ୍ଷାଗତ ଗବେଷଣାରେ ଉଲ୍ଲେଖନୀୟ ଯୋଗଦାନ ଦେବା ପାଇଁ ପ୍ରଶିକ୍ଷିତ ଏମ୍ ଏଡ୍ ସ୍ନାତକଙ୍କ ବୃତ୍ତିଗତ ଦକ୍ଷତାକୁ ବିଚାରକୁ ନେବାରେ ଓପିଏସସିର ନିଷ୍ପତ୍ତି ବିଫଳ ହୋଇଛି । ନିଯୁକ୍ତି ନୀତିକୁ ଜାତୀୟ ଶିକ୍ଷା ମାନଦଣ୍ଡ ସହ ସଂଯୁକ୍ତ କରି ସହକାରୀ ପ୍ରଫେସର ପଦବୀ ପାଇଁ ଏମ୍ ଏଡ୍ ଡିଗ୍ରୀଧାରୀଙ୍କୁ ମଧ୍ୟ ଏମ୍ ଏ ଏଜୁକେସନ ଡିଗ୍ରୀଧାରୀଙ୍କ ପରି ଆବେଦନର ସୁଯୋଗଦେବାକୁ ସେମାନେ ଅଦାଲତଙ୍କୁ ଅନୁରୋଧ କରିଥିଲେ ।


ଭାରତୀୟ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଯେଉଁଥିରେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାକୁ ନିଯୁକ୍ତି କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଧିକାର ପ୍ରଦାନ କରାଯାଇଥିଲେ ବି ଜାତୀୟ ମାନଦଣ୍ଡର ବିରୋଧାଚରଣ ଗ୍ରହଣୀୟ ନୁହେଁ, ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ଆବେଦନକାରୀଙ୍କ ସପକ୍ଷରେ କହିଥିଲେ ଯେ ଅଧ୍ୟାପକ ପଦବୀ ପାଇଁ ଏମ୍ ଏଡ୍ ଓ ଏମ୍ ଏ ଏଜୁକେସନ ଉଭୟ ଯୋଗ୍ୟ । ଉଭୟ ଯୋଗ୍ୟତା ପ୍ରାର୍ଥୀଙ୍କୁ ତୁଳନାତ୍ମକ ଦକ୍ଷତା ଏବଂ ଜ୍ଞାନ ପ୍ରଦାନ କରିଥାଏ । ଏହି ନିଷ୍ପତ୍ତି ଉଚ୍ଚଶିକ୍ଷା କ୍ଷେତ୍ରରେ ଏମ୍ ଏଡ୍ ଭଳି ବୃତ୍ତିଗତ ଯୋଗ୍ୟତାର ଗୁରୁତ୍ୱକୁ ଦର୍ଶାଇବା ସହ ନିଯୁକ୍ତି ପ୍ରକ୍ରିୟାକୁ ଜାତୀୟ ମାନଦଣ୍ଡ ସହିତ ସମନ୍ୱିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲା । ଏହି ନିଷ୍ପତ୍ତି ସୁନିଶ୍ଚିତ କରିଥିଲା ଯେ କୌଣସି ଯୋଗ୍ୟ ପ୍ରାର୍ଥୀମାନେ ମନଇଚ୍ଛା ମାନଦଣ୍ଡ ଆଧାରରେ ସୁଯୋଗରୁ ବଞ୍ଚିତ ନହୁଅନ୍ତି ।


ଓଡ଼ିଶା ହାଇକୋର୍ଟ ଏମ୍.ଏଡ୍. ସ୍ନାତକଙ୍କ ପକ୍ଷରେ ଦେଇଥିବା ରାୟ ଶିକ୍ଷାରେ ସମାନ ନିଯୁକ୍ତି ପଦ୍ଧତି ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏମ୍ ଏଡ୍ ଓ ଏମ୍ ଏ ଏଜୁକେସନର ସମାନତାକୁ ସ୍ୱୀକୃତି ଦେଇ, କୋର୍ଟ ବୃତ୍ତିଗତ ଯୋଗ୍ୟତାର ମୂଲ୍ୟକୁ ବଜାୟ ରଖିଛି ଏବଂ ରାଜ୍ୟ ନିଯୁକ୍ତି ନୀତିକୁ ୟୁଜିସି ଏବଂ ଏନ୍ ସି ଟି ଇ ମାନଦଣ୍ଡ ସହିତ ସମନ୍ୱିତ କରିବାର ଗୁରୁତ୍ୱକୁ ସୁଦୃଢ଼ କରିଛି । ଏହି ନିଷ୍ପତ୍ତି କେବଳ ଏମ୍ ଏଡ୍ ଡିଗ୍ରୀଧାରୀଙ୍କ ପାଇଁ ଲାଭଦାୟକ ନୁହେଁ, ବରଂ ସମାନ ଯୋଗ୍ୟତା ଭିତ୍ତିକ ନିଯୁକ୍ତିକୁ ପ୍ରୋତ୍ସାହିତ କରି ଶିକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବ । ଆଗକୁ, ଓପିଏସସି ଭଳି ସଂସ୍ଥାମାନେ ସୁନିଶ୍ଚିତ କରିବା ଦରକାର ଯେ ସେମାନଙ୍କର ଯୋଗ୍ୟତା ମାନଦଣ୍ଡ ସ୍ୱଚ୍ଛ ଏବଂ ଜାତୀୟ ମାନଦଣ୍ଡ ଅନୁଯାୟୀ, ନିରପେକ୍ଷତାକୁ ପ୍ରୋତ୍ସାହିତ କରିବ ଏବଂ ଶିକ୍ଷା ବ୍ୟବସ୍ଥାରେ ବୃତ୍ତିଗତ ଦକ୍ଷଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବ ।