ଗତ କିଛିଦିନ ତଳେ ପ୍ରକାଶିତ ହୋଇଥିବା ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକର ପ୍ରଥମ ଖଣ୍ଡରୁ ୧୮୧୭ ମସିହାରେ ହୋଇଥିବା ଓଡ଼ିଶାର ପାଇକ ବିଦ୍ରୋହକୁ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏନ୍‌ସିଇଆର୍‌ଟି) ବାଦ୍ ଦେଇଛି । ୨୦୧୭ ମସିହାରେ, ଏନ୍‌ସିଇଆର୍‌ଟି ଅଷ୍ଟମ ଶ୍ରେଣୀ ଇତିହାସ ବହିରେ "ଆୱାର ପାଷ୍ଟ-୩" ରେ ଓଡ଼ିଶାର ଖୋର୍ଦ୍ଧା ବିଦ୍ରୋହ ଉପରେ ନୂଆ ବିଷୟବସ୍ତୁ ଯୋଡ଼ିଥିଲା । ଯାହାକୁ "ପ୍ରଥମ ବ୍ରିଟିଶ ବିରୋଧୀ ବିଦ୍ରୋହ" ଭାବରେ ବର୍ଣ୍ଣନା କରାଯାଇଥିଲା । ତେବେ ଗତ ସପ୍ତାହରେ ପ୍ରକାଶିତ ନୂଆ ସାମାଜିକ ବିଜ୍ଞାନ ପୁସ୍ତକ, ‘ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ୍ ବିୟଣ୍ଡ’ରେ ପାଇକ ବିଦ୍ରୋହକୁ ବାଦ୍‌ ଦେଇ ଅନ୍ୟ ୪ଟି ପ୍ରାରମ୍ଭିକ ବିରୋଧ ଆନ୍ଦୋଳନର ବିଷୟକୁ ଯୋଡ଼ିଛି । ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ବୁଦ୍ଧିଜୀବୀ ତଥା ରାଜନୈତିକ ମହଲରେ ତୀବ୍ର ସମାଲୋଚନା ଦେଖିବାକୁ ମିଳୁଛି ।

NCERT, Paika Rebellion, Paika Bidroha, Odia Asmita

ତେବେ ଏହି ସମାଲୋଚନା ଏବଂ ବିରୋଧାଭାସ ପରେ ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଓଡ଼ିଶାର ପାଇକ ବିଦ୍ରୋହ, ପଞ୍ଜାବର କୁକା ବିଦ୍ରୋହ, ଶିଖ୍ ବିଦ୍ରୋହ ଆଦି ଅନେକ ଆଞ୍ଚଳିକ ବିଦ୍ରୋହକୁ ଅନ୍ତର୍ଭୁକ୍ତ କରାଯାଇ ଚଳିତ ବର୍ଷ ଅକ୍ଟୋବର ମାସରେ ଏହା ପ୍ରକାଶ କରାଯିବ ବୋଲି ସ୍ପଷ୍ଟୀକରଣ ରଖିଛି ଏନ୍‌ସିଇଆର୍‌ଟି ।

ତେବେ ଏହି ସ୍ପଷ୍ଟୀକରଣ ଏନ୍‌ସିଇଆର୍‌ଟି ତଥା ସରକାରଙ୍କର ଇତିହାସ ତଥା ଓଡ଼ିଆ ଅସ୍ମିତା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସିପାହୀ ବିଦ୍ରୋହର ୪୦ବର୍ଷ ପୂର୍ବରୁ ବ୍ରିଟିଶ ସରକାର ବିରୋଧରେ ସୃଷ୍ଟ ଆନ୍ଦୋଳନ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବିରୁ ଏକ ଆଞ୍ଚଳିକ ବିଦ୍ରୋହ ବୋଲି ସ୍ଥାନିତ କରିବା କେତେଦୂର ଠିକ୍ ? ଏହା କରି, ଆମେ କ’ଣ ପିଲାମାନଙ୍କୁ ଇତିହାସର ସତ୍ୟରୁ ବଞ୍ଚିତ କରୁନାହୁଁ ? ସର୍ବୋପରି, ଏତେ ମହାନ ଘଟଣାକୁ କାହିଁକି ଏକ 'ଆଞ୍ଚଳିକ ଆନ୍ଦୋଳନ' ପର୍ଯ୍ୟନ୍ତ ସୀମିତ କରାଯାଉଛି ? 

ଏହା କେବଳ ପାଠ୍ୟପୁସ୍ତକ ପରିବର୍ତ୍ତନର ବିଷୟ ନୁହେଁ ବରଂ ଇତିହାସ ଏବଂ ଓଡ଼ିଆ ଅସ୍ମିତା ପ୍ରତି ଏକ ଗମ୍ଭୀର ଷଡ଼ଯନ୍ତ୍ର ପରି ମନେହେଉଛି । ସ୍ୱାଧୀନତା ସଂଗ୍ରାମର ଇତିହାସକୁ ଭାରତୀୟ ଇତିହାସର ଆତ୍ମା ଭାବରେ ବିବେଚନା କରାଯାଏ, ଏବଂ ଏପରି ପରିସ୍ଥିତିରେ ଯଦି ଏହି ଇତିହାସରେ ଓଡ଼ିଶାର ଅବଦାନକୁ ଅଣଦେଖା କରାଯାଏ, ତେବେ ଏହା କ’ଣ ଓଡ଼ିଶାର ସଂସ୍କୃତି, ଏହାର ପରିଚୟ ଏବଂ ଓଡ଼ିଆ ଅସ୍ମିତା ପ୍ରତି ଏକ ଅପମାନ ନୁହେଁ ? 

ଏଠାରେ ଏକ ବଡ଼ ପ୍ରଶ୍ନ ଉଠୁଛି ଯେ ଆମ ଶିକ୍ଷା ମନ୍ତ୍ରଣାଳୟ ଏବଂ ଏନ୍‌ସିଇଆର୍‌ଟିର ଦୃଷ୍ଟିକୋଣ କେବଳ ଉତ୍ତର ଭାରତ-କେନ୍ଦ୍ରିକ ଇତିହାସ ପ୍ରଦର୍ଶନ କରିବାରେ ସୀମିତ କି ? ଆମ ପାଠ୍ୟକ୍ରମରେ କାହିଁକି ସମଗ୍ର ଭାରତର ସମୃଦ୍ଧ ଏବଂ ବିବିଧ ଇତିହାସକୁ ସମାନ ସ୍ଥାନ ଦିଆଯାଉନାହିଁ ? ଦକ୍ଷିଣ ଭାରତ, ଉତ୍ତର-ପୂର୍ବ, ପଶ୍ଚିମ ରାଜ୍ୟ ଏବଂ ଅନ୍ୟାନ୍ୟ ଅଞ୍ଚଳର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ୱାବଲମ୍ବନ ଆନ୍ଦୋଳନକୁ 'ଆଞ୍ଚଳିକ' ବୋଲି କହି ଜାତୀୟତାବାଦକୁ ହୀନ କରି ଦେଖାଇବା କ'ଣ ଠିକ୍ ? ଇତିହାସର ଏହି ସଂକୀର୍ଣ୍ଣତା ଜାତୀୟ ଏକତାର ଧାରଣା ବିରୁଦ୍ଧରେ ଯାଉଛି । 'ଭାରତ ଏବଂ ଏହା ବାହାରେ' ସମାଜକୁ ପରିଚିତ କରାଇବା ପାଇଁ ଏନ୍‌ସିଇଆର୍‌ଟିର ବିଭିନ୍ନ ପଦକ୍ଷେପ କେବଳ ସେତେବେଳେ ଅର୍ଥପୂର୍ଣ୍ଣ ହୋଇପାରିବ ଯେତେବେଳେ ଐତିହାସିକ ତଥ୍ୟଗୁଡ଼ିକୁ ସଠିକ୍ ଭାବରେ ଉଲ୍ଳେଖ କରାଯିବ ଏବଂ ଭାରତର ପ୍ରତ୍ୟେକ ଅଞ୍ଚଳର ଅବଦାନକୁ ଭଲ ଭାବରେ ପ୍ରାଧାନ୍ୟ ଦିଆଯିବ । ଏପରି ନ ହେଲେ, ଇତିହାସ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ପ୍ରକୃତ ତଥ୍ୟ ଏବଂ ସେମାନଙ୍କର ଆଞ୍ଚଳିକ ଇତିହାସରୁ ବଞ୍ଚିତ ହେବେ ।  

ଏପରି ଐତିହାସିକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଓଡ଼ିଶାରେ କ୍ଷମତାରେ ଥିବା 'ଡବଲ ଇଞ୍ଜିନ' ସରକାରଙ୍କ କାର୍ଯ୍ୟକାରିତା ମଧ୍ୟ ନିରାଶା ସୃଷ୍ଟି କରିଛି । ଏହି 'ଡବଲ ଇଞ୍ଜିନ' ସରକାର ପ୍ରକୃତରେ ଓଡ଼ିଶାର ଇତିହାସ , ପରିଚୟ ପାଇଁ କାମ କରୁଛି ନା ଏହା କେବଳ ରାଜନୈତିକ ପ୍ରଚାରରେ ସୀମିତ ? ଏପରି ପରିସ୍ଥିତିରେ, ପାଇକ ବିଦ୍ରୋହ ଭଳି ଐତିହାସିକ ଘଟଣାକୁ ଅଣଦେଖା କରିବା ଓଡ଼ିଶାର ପରିଚୟକୁ ଆଗକୁ ନେବ ନା ଓଡ଼ିଆ ଅସ୍ମିତାକୁ ଆଘାତ ଦେବ ତାହା ଏକ ବଡ଼ ପ୍ରଶ୍ନ ।

ପାଇକ ବିଦ୍ରୋହ ଭଳି ଘଟଣାକୁ ଇତିହାସ ପାଠ୍ୟକ୍ରମରେ 'ଆଞ୍ଚଳିକ ଆନ୍ଦୋଳନ' ବୋଲି କହି ସୀମିତ ରଖିବାର ଆଉ ଏକ ବିପଦପୂର୍ଣ୍ଣ ପରିଣାମ ହେଉଛି ଯେ ଆମେ ଆମ ପିଲାମାନଙ୍କୁ ଏହା ଶିକ୍ଷା ଦେଉଛୁ ଯେ ଭାରତର ଆନ୍ଦୋଳନ କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ଏବଂ ସମ୍ପ୍ରଦାୟ ମଧ୍ୟରେ ସୀମିତ ଥିଲା । ଏହି ଚିନ୍ତାଧାରା ତାଙ୍କର ଜାତୀୟ ପରିଚୟର ବିକାଶରେ ବାଧା ସୃଷ୍ଟି କରିବ । ପୂର୍ବରୁ ବର୍ଷ ବର୍ଷ ଧରି ଏନ୍‌ସିଇଆର୍‌ଟି ପୁସ୍ତକଗୁଡ଼ିକ ଉତ୍ତର ଭାରତର ମୋଗଲ, ଦିଲ୍ଲୀ ସାମ୍ରାଜ୍ୟ ଏବଂ ଅନ୍ୟାନ୍ୟ ବିଷୟଗୁଡ଼ିକୁ ଅତ୍ୟଧିକ ଗୁରୁତ୍ୱ ଦେଇଛି, ଯେତେବେଳେ ଦକ୍ଷିଣ, ଉତ୍ତର-ପୂର୍ବ ଏବଂ ପୂର୍ବ ଭାରତର ଅନେକ ଆନ୍ଦୋଳନକୁ ଅଣଦେଖା କରାଯାଇଛି । ଏବେ ପୁସ୍ତକ ପରିବର୍ତ୍ତନ ପରେ ମଧ୍ଯ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ବା ସମ୍ପ୍ରଦାୟର ଇତିହାସକୁ ଜାତୀୟ ଇତିହାସ କହିବା ସମାନ ଘଟଣା ଆଡ଼କୁ ଦେଖାଉଛି । ଏପରି ହେବା କାରଣରୁ ଦେଶର ଅନେକ ଛାତ୍ରଛାତ୍ରୀ ଭାରତର ବାସ୍ତବ ତଥା ସାଂସ୍କୃତିକ ଐତିହ୍ୟରୁ ବଞ୍ଚିତ ହେଉଛନ୍ତି । କେବଳ ଗୋଟିଏ ଅଞ୍ଚଳର ଐତିହ୍ୟକୁ ଜାତୀୟ ଇତିହାସ ଭାବରେ ଚିତ୍ରଣ କରି ଇତିହାସ ପୁସ୍ତକଗୁଡ଼ିକ ଜାତୀୟ ଇତିହାସ ସୃଷ୍ଟି କରିଚାଲିବା କ’ଣ ନ୍ୟାୟ ?

ବର୍ତ୍ତମାନ ପ୍ରଶ୍ନ ହେଉଛି - ଭାରତର ଶିକ୍ଷା ବ୍ୟବସ୍ଥା କେବଳ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ବର୍ଗର ଐତିହ୍ୟକୁ ପ୍ରତିଫଳିତ କରିବା ଉଚିତ କି ? ଆମେ କ’ଣ ଆମ ପିଲାମାନଙ୍କୁ ପ୍ରକୃତ, ସମୃଦ୍ଧ ତଥା ବିବିଧ ଇତିହାସ ଦେଖାଇବାକୁ ଚାହୁଁନାହୁଁ, ଏବଂ ଦେଶର ପ୍ରତ୍ୟେକ ଅଂଶର ସମାନ ମର୍ଯ୍ୟାଦା ମଧ୍ୟ ଦେଖାଇବାକୁ ଚାହୁଁନାହୁଁ ? 

ଆଶା ଏହି ବିରୋଧାଭାସକୁ ଲକ୍ଷ୍ୟ କରି ଏନ୍‌ସିଇଆର୍‌ଟି ଏବଂ ଶିକ୍ଷା ବିଭାଗ ଏହି ବିଷୟକୁ ଗମ୍ଭୀରତାର ସହ ନେଇ ଦେଶର ସମସ୍ତ ଆଞ୍ଚଳିକ ଇତିହାସ ଏବଂ ପରିଚୟକୁ ଉପଯୁକ୍ତ ସ୍ଥାନ ଦେବେ । ଯାହା ଦ୍ଵାରା ଆଗାମୀ ପିଢ଼ି କେବଳ ସେମାନଙ୍କର ଇତିହାସ ସହିତ ଯୋଡ଼ି ହୋଇପାରିବେ ନାହିଁ ବରଂ ସେମାନଙ୍କର ସାଂସ୍କୃତିକ ଅସ୍ମିତାକୁ ମଧ୍ୟ ଚିହ୍ନିପାରିବେ । ଯାହା ଏକ ଶକ୍ତିଶାଳୀ, ସାମଗ୍ରିକ ଏବଂ ସମନ୍ୱିତ ଭାରତ ଗଠନରେ ସାହାଯ୍ୟ କରିବ ।