ନିକଟରେ ଝାଡ଼ଖଣ୍ଡର ସାଂସଦ ନିଶିକାନ୍ତ ଦୁବେ, ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ତାହା ସମଗ୍ର ଦେଶବାସୀଙ୍କୁ ଗଭୀର ଆଘାତ ଦେଇଛି। ରାଜନୈତିକ ବିରୋଧାଭାସ ଗଣତନ୍ତ୍ରର ଏକ ଅଂଶ ହୋଇପାରେ, କିନ୍ତୁ କ୍ଷମତା ଆଳରେ ଇତିହାସକୁ ବିକୃତ କରିବା ଏବଂ ଦେଶର ଜଣେ ମହାନ ସୁପୁତ୍ରଙ୍କୁ ଅପମାନିତ କରିବା କେବେବି ଗ୍ରହଣୀୟ ନୁହେଁ।
ଶ୍ରୀ ଦୁବେ ତାଙ୍କର ବିବୃତ୍ତି ମାଧ୍ୟମରେ ଦାବି କରିଛନ୍ତି ଯେ ୧୯୬୨ ଭାରତ-ଚୀନ ଯୁଦ୍ଧ ସମୟରେ ବିଜୁ ବାବୁ ଆମେରିକାର ଗୁପ୍ତଚର ସଂସ୍ଥା 'ସିଆଇଏ' (CIA) ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ମଧ୍ୟରେ ଏକ ମାଧ୍ୟମ ବା ଏଜେଣ୍ଟ ଭାବରେ କାମ କରୁଥିଲେ। ଏଭଳି ଅର୍ଦ୍ଧସତ୍ୟ ତଥ୍ୟ ଉପସ୍ଥାପନ କରି ଜଣେ ମହାନ ଦେଶପ୍ରେମୀଙ୍କୁ ସନ୍ଦେହ ଘେରକୁ ଆଣିବା ଅତ୍ୟନ୍ତ ନିନ୍ଦନୀୟ।
ପ୍ରକୃତ ସତ୍ୟ ହେଉଛି, ୧୯୬୨ ମସିହାରେ ଯେତେବେଳେ ଚୀନ ଭାରତ ଉପରେ ବିଶ୍ୱାସଘାତକତା କରି ଆକ୍ରମଣ କଲା, ସେତେବେଳେ ଭାରତର ସାମରିକ ଏବଂ ଗୁପ୍ତଚର ବ୍ୟବସ୍ଥାକୁ ସୁଦୃଢ଼ କରିବାର ନିତ୍ୟାନ୍ତ ଆବଶ୍ୟକତା ଥିଲା। ନେହେରୁଜୀ ବିଜୁ ବାବୁଙ୍କ ସାହସ, ସାମରିକ ଅଭିଜ୍ଞତା ଏବଂ ରଣନୈତିକ ଜ୍ଞାନ ଉପରେ ପୂର୍ଣ୍ଣ ବିଶ୍ୱାସ ରଖିଥିଲେ। ସେଥିପାଇଁ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟରେ ନିଜ ନିକଟରେ ଏକ ସ୍ୱତନ୍ତ୍ର କକ୍ଷ ପ୍ରଦାନ କରାଯାଇଥିଲା। ଦେଶର ସୁରକ୍ଷା ନିମନ୍ତେ ଉଚ୍ଚକୋଟୀର ଗୁପ୍ତଚର ସୂଚନା ହାସଲ କରିବା ପାଇଁ ବିଜୁ ବାବୁ ଆମେରିକାର ସହାୟତା ନେଇ ଭାରତରେ 'ଏଭିଏସନ୍ ରିସର୍ଚ୍ଚ ସେଣ୍ଟର' (ARC) ର ସ୍ଥାପନା କରିଥିଲେ। ଏହା ଏକ ଭାରତୀୟ ସଂସ୍ଥା ଥିଲା, ଯାହା ନିଜ ଦେଶର ସୀମା ସୁରକ୍ଷା ପାଇଁ କାମ କରୁଥିଲା। ବିଜୁ ବାବୁ ଜଣେ ଦକ୍ଷ କୂଟନୀତିଜ୍ଞ ଭାବରେ ଆମେରିକା ସହ ସମାନ ସ୍ତରରେ ଆଲୋଚନା କରୁଥିଲେ; ସେ କାହାର ଏଜେଣ୍ଟ ନଥିଲେ, ବରଂ ନିଜ ଦେଶର ସ୍ୱାର୍ଥରକ୍ଷକ ଥିଲେ।
ବିଜୁ ବାବୁଙ୍କ ଦୂରଦୃଷ୍ଟି ଯୋଗୁଁ ହିଁ ଓଡ଼ିଶାର ଚାରବାଟିଆ ଠାରେ ଏଭିଏସନ୍ ରିସର୍ଚ୍ଚ ସେଣ୍ଟରର (ARC) ପ୍ରତିଷ୍ଠା ସମ୍ଭବ ହୋଇପାରିଲା। ହିମାଳୟ ସୀମାନ୍ତରେ ଶତ୍ରୁମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଆଧୁନିକ ଗୁପ୍ତଚର ବ୍ୟବସ୍ଥା ପରବର୍ତ୍ତୀ ସମୟରେ ଭାରତର ସର୍ବୋଚ୍ଚ ବାହ୍ୟ ଗୁପ୍ତଚର ସଂସ୍ଥା 'ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍' (RAW) ପ୍ରତିଷ୍ଠା ପାଇଁ ଏକ ମଜବୁତ ଭିତ୍ତିଭୂମି ପ୍ରସ୍ତୁତ କରିଥିଲା। ଭାରତର ପ୍ରତିରକ୍ଷାକୁ ଆଧୁନିକୀକରଣ କରିବାରେ ତାଙ୍କର ଯେଉଁ ଅବଦାନ ରହିଛି, ତାହା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ।
ବିଜୁ ପଟ୍ଟନାୟକ କେବଳ ଏକ ନିର୍ଦ୍ଦିଷ୍ଟ ରାଜ୍ୟର ନେତା ନଥିଲେ, ସେ ଥିଲେ ସମଗ୍ର ଦେଶର ଗର୍ବ। ତାଙ୍କ ଜୀବନର ପ୍ରତିଟି ଘଟଣା ସାହସିକତାର କାହାଣୀ ବଖାଣେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ବିମାନ ବାହିନୀରେ ଥାଇ ମଧ୍ୟ ସେ ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗୋପନରେ ଉଦ୍ଧାର କରୁଥିଲେ।
୧୯୪୭ ମସିହାରେ ଯେତେବେଳେ ପାକିସ୍ତାନୀମାନେ କାଶ୍ମୀର ଆକ୍ରମଣ କଲେ, ସେତେବେଳେ ମୂଳ ଭାରତ ସହ କାଶ୍ମୀରର ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ଦେଖାଦେଇଥିଲା। ସେହି ଭୟଙ୍କର ସମୟରେ, ବିଜୁ ବାବୁ ହିଁ ପ୍ରଥମେ ଶ୍ରୀନଗର ବିମାନବନ୍ଦରରେ ନିଜର ବିମାନ ଅବତରଣ କରାଇ ଭାରତୀୟ ସେନା ପହଞ୍ଚାଇଥିଲେ। ଯଦି ସେହିଦିନ ବିଜୁ ବାବୁ ସେହି ସାହସିକ ପଦକ୍ଷେପ ନେଇନଥାନ୍ତେ, ତେବେ ବୋଧହୁଏ କାଶ୍ମୀର ଆଜି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇନଥାନ୍ତା। ସେହିପରି, ଡଚ୍ ସେନାଙ୍କ କବଳରୁ ଇଣ୍ଡୋନେସିଆର ନେତା ସୁକର୍ଣ୍ଣୋ ଏବଂ ଶାହରିୟରଙ୍କୁ ନିଜ ବିମାନରେ ଉଦ୍ଧାର କରିବା ତାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଆଣିଦେଇଥିଲା।
ଆଜିର ଓଡ଼ିଶା ଯେଉଁ ଶିଳ୍ପ ଓ ଭିତ୍ତିଭୂମି ଉପରେ ଛିଡ଼ା ହୋଇଛି, ତାହାର ମୂଳଦୁଆ ବିଜୁ ବାବୁ ହିଁ ପକାଇଥିଲେ। ପାରାଦୀପ ବନ୍ଦର ପ୍ରତିଷ୍ଠା ହେଉ, ସୁନାବେଡ଼ାରେ 'ହାଲ୍' (HAL) ମିଗ୍ ବିମାନ କାରଖାନା ନିର୍ମାଣ ହେଉ, ବା ରାଉରକେଲା ଇସ୍ପାତ କାରଖାନା ଏସବୁ ତାଙ୍କର ଦୂରଦୃଷ୍ଟିର ଫଳ। ନିଜର ବ୍ୟକ୍ତିଗତ ସମ୍ପତ୍ତିକୁ ଦେଶ ଓ ରାଜ୍ୟ ପାଇଁ ବ୍ୟୟ କରିବାରେ ସେ କେବେବି ପଛଘୁଞ୍ଚା ଦେଇନଥିଲେ।
ତାଙ୍କର ବିଶାଳ ବ୍ୟକ୍ତିତ୍ୱ ଆଗରେ ଦଳୀୟ ରାଜନୀତି ସବୁବେଳେ ଛୋଟ ପଡିଯାଏ। ସେ ହେଉଛନ୍ତି ସେହି ବିରଳ ବ୍ୟକ୍ତିତ୍ୱ ଯାହାଙ୍କୁ ଭାରତ ସମେତ ଇଣ୍ଡୋନେସିଆ ଏବଂ ସୋଭିଏତ୍ ୟୁନିୟନ୍ ଦ୍ୱାରା ସମ୍ମାନିତ କରାଯାଇଛି। ଇନ୍ଦିରା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଅଟଳ ବିହାରୀ ବାଜପେୟୀଙ୍କ ପର୍ଯ୍ୟନ୍ତ ସମସ୍ତ ଜାତୀୟ ନେତା ତାଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦର୍ଶନ କରୁଥିଲେ।
ସୂର୍ଯ୍ୟଙ୍କ ଆଡକୁ ଢେଲା ଫୋପାଡିଲେ ତାହା ଯେପରି ନିଜ ଦେହରେ ପଡେ, ଠିକ୍ ସେହିପରି ବିଜୁ ବାବୁଙ୍କ ଭଳି ଜଣେ ମହାମାନବଙ୍କ ଉପରେ କରାଯାଇଥିବା ଆକ୍ଷେପ କେବଳ ଆକ୍ଷେପକାରୀଙ୍କ ନିଜର ଅଜ୍ଞତାକୁ ହିଁ ପଦାରେ ପକାଏ। ଆଜିର ସମୟରେ କିଛି ରାଜନେତା ନିଜର ସ୍ୱାର୍ଥ ଏବଂ ଶସ୍ତା ଲୋକପ୍ରିୟତା ପାଇଁ ଐତିହାସିକ ତଥ୍ୟକୁ ବିକୃତ କରିବାକୁ ପଛାଉ ନାହାଁନ୍ତି। କିନ୍ତୁ ସତ୍ୟ ସବୁବେଳେ ସୂର୍ଯ୍ୟଙ୍କ ଭଳି ଉଜ୍ଜ୍ୱଳ। ନିଶିକାନ୍ତ ଦୁବେଙ୍କ ଭଳି ବ୍ୟକ୍ତିମାନେ ନିଜର ମନ୍ତବ୍ୟ ପାଇଁ କେବଳ କ୍ଷମା ପ୍ରାର୍ଥନା କରିବା ଉଚିତ୍ ନୁହେଁ, ବରଂ ଭାରତୀୟ ଇତିହାସକୁ ସଠିକ୍ ଭାବରେ ଅଧ୍ୟୟନ କରିବା ଆବଶ୍ୟକ।
ବିଜୁ ପଟ୍ଟନାୟକ ଏକ ନାମ ନୁହେଁ, ଏକ ଆବେଗ, ଏକ ପ୍ରେରଣା ଏବଂ ଗୋଟିଏ ସମ୍ପୂର୍ଣ୍ଣ ଯୁଗର ପରିଚୟ। ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷା କ୍ଷେତ୍ରରେ ତାଙ୍କର ନିଃସ୍ୱାର୍ଥପର ଅବଦାନ ପାଇଁ ଭାରତବାସୀ ସବୁବେଳେ ତାଙ୍କ ନିକଟରେ ଋଣୀ ରହିବେ। ତାଙ୍କ ମର୍ଯ୍ୟାଦାକୁ ମଳିନ କରିବାର କୌଣସି ବି ଅପଚେଷ୍ଟାକୁ ସହ୍ୟ କରାଯିବ ନାହିଁ। ବିଜୁ ବାବୁ ଅମର ରହେ।

0 Comments
Post a Comment