ଆଜିର ଆଧୁନିକ ତଥା ଡିଜିଟାଲ୍ ଯୁଗରେ ଆମେ ଏକ ବଡ଼ ଭ୍ରମରେ ବଞ୍ଚୁଛୁ ଯେ ଗ୍ରାହକ ଭାବରେ ଆମ ପାଖରେ ବାଛିବା ପାଇଁ ଅନେକ ବିକଳ୍ପ ରହିଛି। ଗୋଟିଏ ଥର ନିଜ ସ୍ମାର୍ଟଫୋନ୍ ଉପରେ ନଜର ପକାନ୍ତୁ। ଆମେ ଦିନ ତମାମ ଯେଉଁ ସବୁ ସେବା ବ୍ୟବହାର କରୁଛୁ, ସେଥିରେ ପ୍ରକୃତରେ କେତୋଟି କମ୍ପାନୀର ନିୟନ୍ତ୍ରଣ ରହିଛି? ଦେଖିବାକୁ ଗଲେ, ଆମର ପ୍ରତ୍ୟେକ ଆବଶ୍ୟକତା ପାଇଁ କେବଳ ଦୁଇଟି ମୁଖ୍ୟ ବିକଳ୍ପ ହିଁ ଉପଲବ୍ଧ ଅଛି। ଟେଲିକମ୍ ସେବାରୁ ଆରମ୍ଭ କରି ଖାଦ୍ୟ ଅର୍ଡର କରିବା, ଅନଲାଇନ୍ ସପିଂ କରିବା ଏବଂ ବିମାନ ଯାତ୍ରା କରିବା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ କେବଳ ଦୁଇଟି ବଡ଼ କମ୍ପାନୀ ପୂରା ବଜାରକୁ ନିଜ କବଜାରେ ରଖିଛନ୍ତି। ଅର୍ଥନୀତିର ଭାଷାରେ ଏହି ସ୍ଥିତିକୁ 'ଡୁଓପୋଲି' ବ୍ୟବସ୍ଥା କୁହାଯାଏ। ଏକ ସୁସ୍ଥ ବଜାରରେ ପ୍ରତିଯୋଗିତା ଅତ୍ୟନ୍ତ ଜରୁରୀ, କିନ୍ତୁ ବର୍ତ୍ତମାନର ଏହି 'ଡୁଓପୋଲି' ବ୍ୟବସ୍ଥା ଆମ ଦୈନନ୍ଦିନ ଜୀବନ ଓ ପକେଟ୍ ଉପରେ କିପରି ଗଭୀର ପ୍ରଭାବ ପକାଉଛି, ତାହା ବିଚାର କରିବାର ସମୟ ଆସିଛି।

Duopoly, Ecommerce, telecom

​​ଗୋଟିଏ ସମୟ ଥିଲା, ଯେତେବେଳେ ଭାରତୀୟ ଟେଲିକମ୍ ବଜାରରେ ପ୍ରାୟ ୧୦ ରୁ ୧୨ଟି ଅପରେଟର କାର୍ଯ୍ୟ କରୁଥିଲେ। ଗ୍ରାହକଙ୍କ ପାଖରେ ଏୟାରଟେଲ୍, ଭୋଡାଫୋନ୍, ଆଇଡିଆ, ବିଏସଏନଏଲ୍, ଟାଟା ଡୋକୋମୋ, ଏୟାରସେଲ୍ ଏବଂ ୟୁନିନର୍ ଭଳି ଅନେକ ବିକଳ୍ପ ଥିଲା। ଯାହାର ନେଟୱର୍କ ଭଲ ଏବଂ ଯାହାର ପ୍ଲାନ୍ ଶସ୍ତା, ଲୋକେ ତାହାକୁ ବାଛୁଥିଲେ। କିନ୍ତୁ ୨୦୧୬ ମସିହାରେ ଜିଓ ର ପ୍ରବେଶ ଏବଂ ଏହାର ମାଗଣା ଡାଟା ତଥା କଲିଂ ଅଫର୍ ବଜାରର ରୂପରେଖ ବଦଳାଇ ଦେଲା। ଲୋକେ ମାଗଣା ସେବାର ଆନନ୍ଦ ନେଲେ, କିନ୍ତୁ ଏହାର ପ୍ରକୃତ ମୂଲ୍ୟ ଆମେ ଆଜି ଦେଉଛୁ। ବର୍ତ୍ତମାନ ଟେଲିକମ୍ ବଜାରର ପ୍ରାୟ ୩୯% ଅଂଶ ଜିଓ ହାତରେ ଥିବା ବେଳେ ଏୟାରଟେଲ୍ ପାଖରେ ୩୭% ରହିଛି। ଅର୍ଥାତ୍ ଦେଶର ୭୫% ରୁ ଅଧିକ ବଜାର କେବଳ ଏହି ଦୁଇଟି କମ୍ପାନୀଙ୍କ ମୁଠାରେ।

​ପ୍ରତିଯୋଗିତା ଶେଷ ହେବା ମାତ୍ରେ ଏହି ଦୁଇ କମ୍ପାନୀ ମନଇଚ୍ଛା ନିଜର ରିଚାର୍ଜ ପ୍ଲାନ୍ ମହଙ୍ଗା କରିବାରେ ଲାଗିଛନ୍ତି। ଯେଉଁ ୩ ମାସିଆ ପ୍ଲାନ୍ ପୂର୍ବରୁ ୬୦୦-୭୦୦ ଟଙ୍କାରେ ମିଳୁଥିଲା, ଆଜି ତାହା ୧୦୦୦ ଟଙ୍କା ଛୁଇଁଲାଣି। ଶସ୍ତା ପ୍ଲାନ୍ ଗୁଡ଼ିକୁ ଚୁପଚାପ୍ ବନ୍ଦ କରିଦିଆଯାଉଛି କିମ୍ବା ସେଥିରେ ମିଳୁଥିବା ସୁବିଧା କମାଇ ଦିଆଯାଉଛି। ୫ଜି ନାମରେ ଅସୀମିତ ବା ଅନଲିମିଟେଡ ଡାଟା କୁହାଯାଉଥିଲେ ମଧ୍ୟ ସେଥିରେ ୩୦୦ ଜିବିର ସର୍ତ୍ତ ଲାଗୁ କରାଯାଉଛି। ଗ୍ରାହକ ଅସନ୍ତୁଷ୍ଟ ଥିଲେ ମଧ୍ୟ ନିରୁପାୟ, କାରଣ ଅନ୍ୟ କୌଣସି ଉତ୍ତମ ବିକଳ୍ପ ନାହିଁ।

​​କେବଳ ଟେଲିକମ୍ ନୁହେଁ, ବଜାରର ପ୍ରାୟ ସବୁ କ୍ଷେତ୍ରରେ ଏହି ଏକଚାଟିଆ ନୀତି ଦେଖିବାକୁ ମିଳୁଛି। ଫୁଡ୍ ଡେଲିଭରୀ କ୍ଷେତ୍ରକୁ ଦେଖନ୍ତୁ। ଜୋମାଟୋ ଏବଂ ସ୍ୱିଗି ବଜାରକୁ ପୂର୍ଣ୍ଣ ନିୟନ୍ତ୍ରଣ କରୁଛନ୍ତି। ବାହାରକୁ ଦେଖିଲେ ଲାଗିବ ଯେ ସେମାନଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଅଛି, କିନ୍ତୁ ଭାରତୀୟ ପ୍ରତିଯୋଗିତା ଆୟୋଗ ବା ସି ସି ଆଇର ତଦନ୍ତରୁ ଜଣାପଡିଛି ଯେ ସେମାନେ ରେଷ୍ଟୁରାଣ୍ଟଗୁଡ଼ିକ ସହ ମିଶି ଏକ୍ସକ୍ଲୁସିଭ୍ ଡିଲ୍ ଏବଂ 'ପ୍ରାଇସ୍ ପ୍ୟାରିଟି' ସର୍ତ୍ତ ରଖୁଛନ୍ତି। ଫଳସ୍ୱରୂପ, ରେଷ୍ଟୁରାଣ୍ଟ ମାଲିକମାନେ ବାଧ୍ୟ ହୋଇ ଅଧିକ ଦାମ୍ ଧାର୍ଯ୍ୟ କରୁଛନ୍ତି ଏବଂ ଗ୍ରାହକଙ୍କୁ ଅଧିକ ପ୍ଲାଟଫର୍ମ ଫି, ପ୍ୟାକେଜିଂ ଫି ଏବଂ ବର୍ଷା ଦିନେ ଅତିରିକ୍ତ ଚାର୍ଜ ଦେବାକୁ ପଡୁଛି। ଭଲ ବିକଳ୍ପ ନଥିବାରୁ ଗ୍ରାହକ ଏବଂ ରେଷ୍ଟୁରାଣ୍ଟ ଉଭୟ ଏହି ପ୍ଲାଟଫର୍ମ ଉପରେ ନିର୍ଭରଶୀଳ।

​ଇ-କମର୍ସ ବା ଅନଲାଇନ୍ ସପିଂ କ୍ଷେତ୍ରରେ ଆମାଜନ ଏବଂ ଫ୍ଲିପକାର୍ଟର ଆଧିପତ୍ୟ ୭୦-୮୦% ରହିଛି। ଏହି ପ୍ଲାଟଫର୍ମଗୁଡ଼ିକ ନିଜର କିଛି 'ବଛା ବଛା ବିକ୍ରେତା' ବା ପ୍ରିଫର୍ଡ ସେଲରଙ୍କୁ ଲାଭ ପହଞ୍ଚାଉଛନ୍ତି ଏବଂ ରିହାତି ପ୍ରଦାନ କରୁଛନ୍ତି, ଯାହା ଫଳରେ ଲକ୍ଷ ଲକ୍ଷ ଛୋଟ ବ୍ୟବସାୟୀଙ୍କ ବ୍ୟବସାୟ ନଷ୍ଟ ହେଉଛି। ମୋବାଇଲ୍ ବ୍ରାଣ୍ଡଗୁଡ଼ିକ ମଧ୍ୟ ଏହି ଦୁଇଟି ପ୍ଲାଟଫର୍ମ ସହ ଏକ୍ସକ୍ଲୁସିଭ୍ ଡିଲ୍ କରି ଅଫଲାଇନ୍ ଦୋକାନୀମାନଙ୍କୁ ପ୍ରତିଯୋଗିତାରୁ ବାହାର କରିଦେଉଛନ୍ତି।

​ବିମାନ ଚଳାଚଳ କ୍ଷେତ୍ରରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ଗ୍ରୁପ୍ ପାଖରେ ମିଳିତ ଭାବେ ୯୦% ରୁ ଅଧିକ ବଜାର ରହିଛି। ଗତ ବର୍ଷ ଡିସେମ୍ବରରେ ଇଣ୍ଡିଗୋର ପାଇଲଟ୍ ରୋଷ୍ଟରରେ ସାମାନ୍ୟ ତ୍ରୁଟି ହେବା କାରଣରୁ ଦେଶବ୍ୟାପୀ ଶହ ଶହ ଫ୍ଲାଇଟ୍ ବାତିଲ ହୋଇଯାଇଥିଲା। ଗୋଟିଏ କମ୍ପାନୀ ଉପରେ ଏତେ ମାତ୍ରାରେ ନିର୍ଭରଶୀଳତା ଦେଶର ବିମାନ ଯାତ୍ରାକୁ କିପରି ଅଚଳ କରିଦେଇପାରେ, ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ। ସେହିପରି ଡିଜିଟାଲ୍ ପେମେଣ୍ଟ ବା ୟୁପିଆଇରେ ଫୋନପେ ଓ ଗୁଗୁଲ୍ ପେ ୭୫% ଏବଂ କ୍ୟାବ୍ ସେବାରେ ଓଲା ଏବଂ ଉବରର ମଧ୍ୟ ସମାନ ଅବସ୍ଥା।

​ଏହି ଡୁଓପୋଲି ଗଠନ ପଛରେ କିଛି ନିର୍ଦ୍ଦିଷ୍ଟ ଅର୍ଥନୈତିକ କାରଣ ଏବଂ ପ୍ୟାଟର୍ଣ୍ଣ ରହିଛି। ଟେଲିକମ୍ କିମ୍ବା ବିମାନ ଚଳାଚଳ ଭଳି କ୍ଷେତ୍ରରେ ଏକ ନୂଆ କମ୍ପାନୀ ଆରମ୍ଭ କରିବା ପାଇଁ ହଜାର ହଜାର କୋଟି ଟଙ୍କାର ପୁଞ୍ଜି ଆବଶ୍ୟକ ହୁଏ। ତେଣୁ ନୂତନ ପ୍ରତିଯୋଗୀମାନେ ସହଜରେ ବଜାରରେ ପ୍ରବେଶ କରିପାରନ୍ତି ନାହିଁ। ୟା ଛଡ଼ା ଯେତେବେଳେ ଗୋଟିଏ କମ୍ପାନୀ ବହୁତ ବଡ଼ ହୋଇଯାଏ ଏବଂ ତାର ଗ୍ରାହକ ସଂଖ୍ୟା ଅଧିକ ଥାଏ, ତାର ପରିଚାଳନା ଖର୍ଚ୍ଚ ହ୍ରାସ ପାଏ। ଏହା ଫଳରେ ସେ ନୂଆ ଏବଂ ଛୋଟ କମ୍ପାନୀମାନଙ୍କୁ ପ୍ରତିଯୋଗିତାରେ ବହୁ ପଛରେ ପକାଇଦିଏ। ଅନ୍ୟ କିଛି ପ୍ଲାଟଫର୍ମ ଅଧିକ ଲୋକ ବ୍ୟବହାର କଲେ ତାର ଉପଯୋଗିତା ବଢ଼ିଥାଏ। ଉଦାହରଣ ସ୍ୱରୂପ, ଗୁଗୁଲ୍ ପେ କିମ୍ବା ହ୍ୱାଟ୍ସଆପ୍ ଆମେ ଏଥିପାଇଁ ବ୍ୟବହାର କରୁ କାରଣ ଆମର ଅନ୍ୟ ସାଙ୍ଗମାନେ ମଧ୍ୟ ତାହା ବ୍ୟବହାର କରୁଛନ୍ତି। ଏହା ଅନ୍ୟ ନୂଆ ଆପ୍ ପାଇଁ ସୁଯୋଗ ବନ୍ଦ କରିଦିଏ। ଏସବୁ କାରଣରୁ ଛୋଟ କମ୍ପାନୀଗୁଡ଼ିକ ବନ୍ଦ ହୋଇଯାଆନ୍ତି କିମ୍ବା ବଡ଼ କମ୍ପାନୀ ସହ ମିଶିଯାଆନ୍ତି। ଶେଷରେ ବଜାରରେ କେବଳ ଦୁଇଟି ବଡ଼ କମ୍ପାନୀ ହିଁ ରୁହନ୍ତି।

​ଗୋଟିଏ କମ୍ପାନୀ ସଫଳ ହେବା ବା ବଡ଼ ହେବା ଅପରାଧ ନୁହେଁ। କିନ୍ତୁ ଯେତେବେଳେ ସେହି ସଫଳତାର ଫାଇଦା ଉଠାଇ ସେମାନେ ପ୍ରତିଯୋଗିତାକୁ ଶେଷ କରନ୍ତି ଏବଂ ଗ୍ରାହକଙ୍କୁ ଶୋଷଣ କରନ୍ତି, ସେତେବେଳେ ନିୟନ୍ତ୍ରଣର ଆବଶ୍ୟକତା ପଡ଼େ। ଏଥିପାଇଁ କେତୋଟି ଦିଗରେ ପଦକ୍ଷେପ ନେବା ଜରୁରୀ। ଭାରତୀୟ ପ୍ରତିଯୋଗିତା ଆୟୋଗ ବା ସି ସି ଆଇକୁଅଧିକ କ୍ଷମତାଶାଳୀ ଏବଂ ସ୍ୱାଧୀନ ହେବାକୁ ପଡିବ। ଏହାସହ 'ଡିଜିଟାଲ୍ କମ୍ପିଟିସନ୍ ବିଲ୍'କୁ ତୁରନ୍ତ ପାରିତ କରିବା ଉଚିତ୍, ଯାହାଦ୍ୱାରା ବଡ଼ କମ୍ପାନୀମାନେ କୌଣସି ଅନିୟମିତତା କରିବା ପୂର୍ବରୁ ସେମାନଙ୍କ ଉପରେ କଟକଣା ଲଗାଯାଇପାରିବ। ସରକାରଙ୍କ ଓ ଏନ୍ ଡି ସି ବା ଓପନ୍ ନେଟୱର୍କ ଫର ଡିଜିଟାଲ କମର୍ସ ପ୍ଲାଟଫର୍ମକୁ ୟୁପିଆଇ ଭଳି ପ୍ରୋତ୍ସାହନ ଦେବା ଦରକାର, ଯାହାଦ୍ୱାରା ଇକମର୍ସ କ୍ଷେତ୍ରରେ କମିଶନ୍ କମ୍ ରହିବ ଏବଂ ଛୋଟ ବ୍ୟବସାୟୀମାନେ ଲାଭବାନ୍ ହେବେ। କେବଳ ସରକାର ନୁହେଁ ବରଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ହେଉଛି ଆମର। ଆମେ କେବଳ ଲୋକପ୍ରିୟ ଆପ୍ ଉପରେ ନିର୍ଭର ନକରି ତୃତୀୟ ବିକଳ୍ପକୁ ସୁଯୋଗ ଦେବା ଉଚିତ୍। ଉଦାହରଣ ସ୍ୱରୂପ, ୟୁପିଆଇ ପେମେଣ୍ଟ ପାଇଁ ସରକାରୀ ଆପ୍  ଭିମ୍ ର ବ୍ୟବହାର କରିବା କିମ୍ବା କ୍ୟାବ୍ ବୁକିଂ ପାଇଁ ଓଡ଼ିଶାଯାତ୍ରୀ ଭଳି ନୂଆ ବିକଳ୍ପକୁ ଆପଣେଇବା। ଆମେ ଗ୍ରାହକ ଭାବରେ ଯଦି ଅନ୍ୟ ବିକଳ୍ପଗୁଡ଼ିକୁ ସମର୍ଥନ କରିବା, ତେବେ ବଜାରରେ ପ୍ରତିଯୋଗିତା ବଞ୍ଚି ରହିବ।

ଏକ ସୁସ୍ଥ ଗଣତାନ୍ତ୍ରିକ ଅର୍ଥନୀତି ପାଇଁ ବଜାରରେ ଏକଚାଟିଆ ନୀତି ବା 'ଡୁଓପୋଲି' ଏକ ବଡ଼ ବିପଦ। ଯେତେବେଳେ କମ୍ପାନୀମାନଙ୍କ ମନରୁ ଗ୍ରାହକ ହରାଇବାର ଭୟ ଦୂର ହୋଇଯାଏ, ସେତେବେଳେ ନୂତନ ଉଦ୍ଭାବନ ଏବଂ ଉତ୍ତମ ସେବା ପ୍ରଦାନର ଇଚ୍ଛା ମରିଯାଏ। ଏହି ଶୃଙ୍ଖଳାରେ ସବୁବେଳେ ସାଧାରଣ ଗ୍ରାହକ, ଛୋଟ ବ୍ୟବସାୟୀ ଏବଂ ଡେଲିଭରୀ କର୍ମଚାରୀ ହିଁ ପେଷି ହୁଅନ୍ତି। ତେଣୁ, ଆଖି ବନ୍ଦ କରି ଏହି ବୃହତ କମ୍ପାନୀଗୁଡ଼ିକ ଉପରେ ନିର୍ଭର କରିବା ପରିବର୍ତ୍ତେ, ଆସନ୍ତୁ ସଚେତନ ହେବା ଏବଂ ବଜାରରେ ଉପଲବ୍ଧ ଅନ୍ୟ ବିକଳ୍ପଗୁଡ଼ିକୁ ଆପଣେଇ ନିଜର ଗ୍ରାହକ ଶକ୍ତିର ପରିଚୟ ଦେବା। ପ୍ରତିଯୋଗିତା ବଞ୍ଚି ରହିଲେ ହିଁ ଗ୍ରାହକଙ୍କୁ ପ୍ରକୃତ ସ୍ୱାଧୀନତା ମିଳିପାରିବ।