ବର୍ତ୍ତମାନର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ କେବଳ ସାମାଜିକ ଯୋଗାଯୋଗ କିମ୍ବା ମନୋରଞ୍ଜନର ମାଧ୍ୟମ ହୋଇ ରହିନାହିଁ, ବରଂ ଏହା ଜନମତ ଗଠନ ଏବଂ ରାଜନୈତିକ ବିଚାରଧାରାକୁ ନିୟନ୍ତ୍ରଣ କରିବାର ଏକ ବଡ଼ ରଣକ୍ଷେତ୍ର ପାଲଟିଛି। ଆଜିକାଲି ଇଣ୍ଟରନେଟ ଦୁନିଆରେ, ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ, 'କକରୋଚ୍ ଜନତା ପାର୍ଟି' ବା ସିଜେପି ନାମକ ଏକ ଡିଜିଟାଲ୍ ଟ୍ରେଣ୍ଡ୍ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଉପରଠାଉରିଆ ଭାବେ ଦେଖିଲେ ଏହା ବ୍ୟବସ୍ଥା ବିରୋଧରେ ଯୁବପିଢ଼ିଙ୍କ ଏକ ସ୍ୱତଃସ୍ଫୂର୍ତ୍ତ ସ୍ୱର, ବ୍ୟଙ୍ଗ କିମ୍ବା କେବଳ ଏକ ହାସ୍ୟରସାତ୍ମକ ମିମ୍ ଭଳି ଲାଗୁଛି । ଯାହା ମାଧ୍ୟମରେ ସାଧାରଣ ସମସ୍ୟା, ପ୍ରଶାସନିକ ବିଫଳତା ଏବଂ ରାଜନୈତିକ ବ୍ୟବସ୍ଥାକୁ ତିରସ୍କାର କରାଯାଉଥିବାର ଦେଖିବାକୁ ମିଳୁଛି। କିନ୍ତୁ ଏହି ହସ-ମଜା ଓ ବ୍ୟଙ୍ଗର ଆବରଣ ତଳେ ଏକ ଗଭୀର ତଥା ସୁଚିନ୍ତିତ ରାଜନୀତିକ ଏଜେଣ୍ଡା ଲୁଚି ରହିଛି, ଯାହାକୁ ଗଭୀର ଭାବେ ଅନୁଧ୍ୟାନ କରିବାର ସମୟ ଆସିଛି।

Cockroach Janata Party, Cockroach,

ଏହି ସମଗ୍ର ବିବାଦ ଓ ନୂତନ ଡିଜିଟାଲ୍ ଆନ୍ଦୋଳନର ସୂତ୍ରପାତ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଏକ କଠୋର ମନ୍ତବ୍ୟରୁ ହୋଇଥିଲା। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ମାମଲାର ଶୁଣାଣି ସମୟରେ ମନ୍ତବ୍ୟ ଦେଇ କହିଥିଲେ ଯେ କିଛି ଯୁବକ କାମଧନ୍ଦା ନପାଇ କକରୋଚ୍ ବା ଅସରପା ଭଳି ବ୍ୟବହାର କରୁଛନ୍ତି, ଯେଉଁମାନେ ପରବର୍ତ୍ତୀ ସମୟରେ ଆରଟିଆଇ କର୍ମୀ କିମ୍ବା ସୋସିଆଲ ମିଡିଆ ସକ୍ରିୟବାଦୀ ସାଜି ସମସ୍ତଙ୍କ ଉପରେ ଆକ୍ରମଣ କରୁଛନ୍ତି। ମୁଖ୍ୟ ବିଚାରପତିଙ୍କ ଏହି 'କକରୋଚ୍' ଶବ୍ଦର ବ୍ୟବହାର ଦେଶର ବେକାର ଯୁବପିଢ଼ିଙ୍କ ମନରେ ତୀବ୍ର ଆଘାତ ଦେଇଥିଲା ଏବଂ ସୋସିଆଲ ମିଡିଆରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଥିଲା। ଯଦିଓ ପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ତାଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି ଏବଂ ସେ କେବଳ ଜାଲ୍ ଡିଗ୍ରୀଧାରୀମାନଙ୍କୁ ସମାଲୋଚନା କରୁଥିଲେ, ସେତେବେଳକୁ ଇଣ୍ଟରନେଟ୍‌ରେ ଆକ୍ରୋଶ ନିଆଁ ଭଳି ବ୍ୟାପି ସାରିଥିଲା। ଏହି କ୍ରୋଧକୁ ପୁଞ୍ଜି କରି ଆମ ଆଦମୀ ପାର୍ଟିର ପୂର୍ବତନ ସୋସିଆଲ ମିଡିଆ ରଣନୀତିକାର ଅଭିଜିତ୍ ଦିପକେ ତୁରନ୍ତ 'କକରୋଚ୍ ଜନତା ପାର୍ଟି' ନାମରେ ଏକ କାଳ୍ପନିକ ଓ ବ୍ୟଙ୍ଗାତ୍ମକ ଦଳ ଗଠନ କରିବା ସହ ଲକ୍ଷ ଲକ୍ଷ ଯୁବକଙ୍କୁ ଏଥିରେ ସାମିଲ କରି ଏହାକୁ ଏକ ବଡ଼ ପ୍ରୋପାଗାଣ୍ଡାର ରୂପ ଦେଇଥିଲେ।

ଯେଉଁ ଜିନିଷକୁ ଦେଶର ଲକ୍ଷ ଲକ୍ଷ ଯୁବକ ନିଜର ଅସନ୍ତୋଷ ଏବଂ ସ୍ୱାଧୀନ ଅଭିବ୍ୟକ୍ତିର ମାଧ୍ୟମ ଭାବି ଆପଣେଇ ନେଉଛନ୍ତି, ତାହା ବାସ୍ତବରେ ଏକ ନିର୍ଦ୍ଦିଷ୍ଟ ପକ୍ଷ ଦ୍ୱାରା ପରିଚାଳିତ ଡିଜିଟାଲ୍ ପ୍ରୋପାଗାଣ୍ଡା ବା ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ଅପପ୍ରଚାର। ବ୍ୟଙ୍ଗ ଓ ହସର ମୁଖା ପିନ୍ଧାଇ ସାଧାରଣ ଯୁବମାନସକୁ କିଭଳି ନିଜ ସପକ୍ଷରେ କିମ୍ବା ବିପକ୍ଷରେ ବ୍ୟବହାର କରାଯାଇପାରେ, ଏହା ହେଉଛି ତାର ଏକ ଜ୍ୱଳନ୍ତ ଉଦାହରଣ। 

ଏହି ଘଟଣାଟି ଏକ ବଡ଼ ସାମାଜିକ ସମସ୍ୟା ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି, ଯାହାକୁ ବିଶେଷଜ୍ଞମାନେ 'ମିମ୍ ସିନିସିଜମ୍' ବା ବ୍ୟଙ୍ଗାତ୍ମକ ନୈରାଶ୍ୟବାଦ ବୋଲି କହୁଛନ୍ତି। ଆଜିର ଯୁବପିଢ଼ି ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ହଜାର ହଜାର ମିମ୍ ଦେଖୁଛନ୍ତି, ଯେଉଁଥିରେ ଦର୍ଶାଯାଉଛି ଯେ ଦେଶର ସବୁ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛି। ସରକାର, ପ୍ରଶାସନ, ନ୍ୟାୟାଳୟ, ଗଣମାଧ୍ୟମ ଏବଂ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ କ୍ରମାଗତ ଭାବେ ଏକ ଜୋକ୍ ବା ପରିହାସ ରୂପେ ଉପସ୍ଥାପନ କରାଯାଉଛି। ଯେତେବେଳେ ଜଣେ ଯୁବକ ଦିନରାତି ଏହିଭଳି ବିଷୟବସ୍ତୁ ଦେଖେ, ସେତେବେଳେ ତାର ଅଜାଣତରେ ତାର ମାନସିକତା ନକାରାତ୍ମକ ହୋଇଯାଏ। ସେ ଭାବିବାକୁ ଆରମ୍ଭ କରେ ଯେ ଏହି ଦେଶରେ କିଛି ବି ଭଲ ହୋଇପାରିବ ନାହିଁ ଏବଂ ସବୁକିଛି ପରିହାସଯୋଗ୍ୟ। ଏହି ନୈରାଶ୍ୟବାଦ ଯୁବକମାନଙ୍କୁ ଭିତରୁ ଖାଲି କରିଦିଏ ଏବଂ ସେମାନଙ୍କର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରୁ ସମ୍ପୂର୍ଣ୍ଣ ଆସ୍ଥା ତୁଟାଇ ଦିଏ, ଯାହା ଏକ ସୁସ୍ଥ ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ।

ଏଭଳି ଡିଜିଟାଲ୍ ଅଭିଯାନଗୁଡ଼ିକ ଯୁବପିଢ଼ିଙ୍କ ମଧ୍ୟରେ ଏକ ମିଥ୍ୟା ସନ୍ତୋଷ ବା ଭ୍ରମ ସୃଷ୍ଟି କରିଥାଏ। ଇଣ୍ଟରନେଟରେ ବସି କୌଣସି ବ୍ୟଙ୍ଗାତ୍ମକ ପୋଷ୍ଟକୁ ଲାଇକ୍ କରିବା, ସେୟାର୍ କରିବା କିମ୍ବା ବ୍ୟବସ୍ଥାକୁ ଗାଳି ଦେଇ କମେଣ୍ଟ ଲେଖିବା ଦ୍ୱାରା ଜଣେ ଯୁବକକୁ ଅନୁଭୂତି ହୁଏ ଯେ ସେ ସମାଜର ଏକ ବଡ଼ ସମସ୍ୟା ବିରୋଧରେ ସ୍ୱର ଉତ୍ତୋଳନ କରୁଛି କିମ୍ବା କୌଣସି କ୍ରାନ୍ତିକାରୀ ପରିବର୍ତ୍ତନର ଅଂଶବିଶେଷ ସାଜିଛି। କିନ୍ତୁ ବାସ୍ତବ ଦୁନିଆରେ ଏହାର ପ୍ରଭାବ ଶୂନ୍ୟ ହୋଇଥାଏ। ଏହି ଭର୍ଚୁଆଲ୍ ଆକ୍ରୋଶ ଯୁବକମାନଙ୍କର ପ୍ରକୃତ ଉର୍ଜା ଓ ଚିନ୍ତାଶକ୍ତିକୁ ଶେଷ କରିଦିଏ। ଯେଉଁ ସମୟରେ ସେମାନେ ନିଜର ଶିକ୍ଷା, କ୍ୟାରିୟର୍, ନୂତନ ଦକ୍ଷତା ବିକାଶ କିମ୍ବା ସମାଜର ବାସ୍ତବ ଉନ୍ନତି ପାଇଁ ଚେଷ୍ଟା କରିବା କଥା, ସେହି ସମୟକୁ ସେମାନେ ଏକ ଅଦୃଶ୍ୟ ଓ ନିରର୍ଥକ ଡିଜିଟାଲ୍ କ୍ରୋଧର ପଛରେ ନଷ୍ଟ କରିଦିଅନ୍ତି। ଏହି ମିମ୍ ରାଜନୀତି ଯୁବକମାନଙ୍କୁ ପ୍ରକୃତ ସମସ୍ୟାର ସମାଧାନ ଖୋଜିବା ପରିବର୍ତ୍ତେ ସମସ୍ୟାକୁ ନେଇ କେବଳ ଉପହାସ କରିବା ଶିଖାଇଥାଏ।

ଭାରତ ଭଳି ଏକ ବିଶାଳ ଓ ପ୍ରଗତିଶୀଳ ରାଷ୍ଟ୍ରରେ ଯୁବପିଢ଼ି ହେଉଛନ୍ତି ଦେଶର ସବୁଠାରୁ ବଡ଼ ଶକ୍ତି ଓ ଭବିଷ୍ୟତ। ସେମାନଙ୍କର ସ୍ୱପ୍ନ, ଆକାଂକ୍ଷା ଏବଂ ସୃଜନଶୀଳତା ଉପରେ ଦେଶର ପ୍ରଗତି ନିର୍ଭର କରେ। ତେଣୁ ଭାରତୀୟ ଯୁବପିଢ଼ି ଏହିଭଳି ସ୍ତରହୀନ 'ମିମ୍ ସିନିସିଜମ୍' ଠାରୁ ଯଥେଷ୍ଟ ଉନ୍ନତ ବିକଳ୍ପ ପାଇବାର ଅଧିକାରୀ। ସେମାନଙ୍କର ବ୍ୟବସ୍ଥା ପ୍ରତି ଥିବା ପ୍ରଶ୍ନ କିମ୍ବା ଅସନ୍ତୋଷ ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ହୋଇପାରେ, କିନ୍ତୁ ସେହି ଅସନ୍ତୋଷର ପ୍ରକାଶ ଏଭଳି ଏକ ମିଥ୍ୟା ଓ ପ୍ରୋପାଗାଣ୍ଡାଭିତ୍ତିକ ରାଜନୀତି ମାଧ୍ୟମରେ ହେବା ଅନୁଚିତ। ଯୁବକମାନଙ୍କୁ ବୁଝିବାକୁ ହେବ ଯେ ଗଣତନ୍ତ୍ରରେ ସମାଲୋଚନା କରିବାର ଅଧିକାର ସମସ୍ତଙ୍କର ଅଛି, କିନ୍ତୁ ସେହି ସମାଲୋଚନା ସକାରାତ୍ମକ, ଗଠନମୂଳକ ଏବଂ ତଥ୍ୟଭିତ୍ତିକ ହେବା ଆବଶ୍ୟକ। କୌଣସି ରାଜନୈତିକ ଦଳର ଆଇଟି ସେଲ୍‌ ଦ୍ୱାରା ନିର୍ମିତ ଫାନ୍ଦରେ ପଡ଼ି ନିଜର ବୁଦ୍ଧିମତ୍ତାକୁ ହରାଇବା ଏକ ବଳିଷ୍ଠ ଯୁବସମାଜର ଲକ୍ଷଣ ନୁହେଁ।

ଶେଷରେ, ଏହି ଡିଜିଟାଲ୍ ମାୟାଜାଲରୁ ବାହାରି ଯୁବପିଢ଼ିଙ୍କୁ ନିଜର ଚିନ୍ତାଧାରାକୁ ସ୍ୱାଧୀନ ଓ ପ୍ରଭାବଶାଳୀ କରିବାକୁ ପଡ଼ିବ। ଇଣ୍ଟରନେଟରେ ଦେଖାଯାଉଥିବା ସମସ୍ତ ଆକର୍ଷଣୀୟ ଟ୍ରେଣ୍ଡ୍ ପଛରେ କଣ ପ୍ରକୃତ ସତ୍ୟ ରହିଛି, ତାହା ପରଖିବାର ଦକ୍ଷତା ବା ସମାଲୋଚନାତ୍ମକ ଚିନ୍ତାଶକ୍ତି ବୃଦ୍ଧି କରିବା ଆବଶ୍ୟକ। ଆଖି ବନ୍ଦ କରି ସବୁକିଛିକୁ ଟ୍ରୋଲ୍ କରିବା ପରିବର୍ତ୍ତେ, ଆଖି ଖୋଲି ସମାଜ ଗଠନରେ, ନୀତି ନିର୍ଦ୍ଧାରଣରେ ଏବଂ ସକାରାତ୍ମକ ଆଲୋଚନାରେ ନିଜକୁ ସାମିଲ କରିବାର ସମୟ ଆସିଛି। ବାସ୍ତବ ଦୁନିଆର ସମସ୍ୟାଗୁଡ଼ିକର ସମାଧାନ କେବଳ ଫୋନ୍ ସ୍କ୍ରିନ୍‌ରେ ଆଙ୍ଗୁଠି ଚଳାଇ ହେବ ନାହିଁ, ଏଥିପାଇଁ କାର୍ଯ୍ୟ କରିବାକୁ ହେବ। ଭାରତର ଯୁବ ସମାଜ ଯେତେବେଳେ ଏହି ପ୍ରୋପାଗାଣ୍ଡାର ପରଦାକୁ ଚିରି ବାସ୍ତବତାକୁ ଚିହ୍ନିବେ, ସେତେବେଳେ ହିଁ ଦେଶର ଗଣତନ୍ତ୍ର ଏବଂ ଯୁବପିଢ଼ିଙ୍କ ଭବିଷ୍ୟତ ଅଧିକ ସୁରକ୍ଷିତ ଓ ସମୃଦ୍ଧ ହୋଇପାରିବ।